ମହାରାଷ୍ଟ୍ରରେ ଭୁଶୁଡିଲା କୋଠା, ୫ ଜଣଙ୍କର ମୃତ୍ୟୁ

ମୁମ୍ବାଇ,ଏଜେନ୍ସି: ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରର ଅମରାବତୀରେ ଏକ ବଡ଼ ଦୁର୍ଘଟଣା ଘଟି ୫ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ମହାରାଷ୍ଟ୍ର ଅମରାବତୀର ପ୍ରଭାତ ସିନେମା ଅଞ୍ଚଳରେ ଏକ କୋଠାଘର ଭୁଶୁଡ଼ି ପଡ଼ିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଟିମ୍ ଓ ଏସଡ଼ିଆରଏଫ(ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଉଦ୍ଧାରକାରୀ ଦଳ) ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୂଚନା ଅନୁଯାୟୀ, ପ୍ରଭାତ ଟକିଜ୍ ସିନେମା ଅଞ୍ଚଳରେ ଥିବା କୋଠାଟି ବହୁତ ପୁରୁଣା ହୋଇଥିବାବେଳେ ଆଜି ସନ୍ଧ୍ୟାରେ ହଠାତ୍ କୋଠାଟି ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ତିନିରୁ ଚାରି ଜଣ ଲୋକ ଭଗ୍ନାଂଶ ତଳେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।