ବିସିସିଆଇ ସଭାପତି ଇସ୍ତଫା ପ୍ରସଙ୍ଗ, ସ୍ପଷ୍ଟ କଲେ ଜୟ ଶାହ

ମୁମ୍ବାଇ,ଏଜେନ୍ସି: ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାଁନ୍ତି ସୌରଭ ଗାଙ୍ଗୁଲି। ଗାଙ୍ଗୁଲିଙ୍କ ଇସ୍ତଫା ଖବରକୁ ଗୁଜବ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ। ଜୟ ଶାହ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ସୌରଭଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ନାହାନ୍ତି। ଏହାଏକ ଗୁଜବ ଖବର। ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ବିଟ୍‌ ପରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା।

ସୌରଭ ଗାଙ୍ଗୁଲି ଟ୍ବିଟ୍‌ କରି କହିଛନ୍ତି ଯେ, “୧୯୯୨ ମସିହାରୁ ଆରମ୍ଭ ହୋଇଥିବା କ୍ରିକେଟ ଯାତ୍ରାକୁ ଆଜି ୩୦ ବର୍ଷ ପୂର୍ତ୍ତି ହୋଇଛି। ସେହିଦିନଠାରୁ କ୍ରିକେଟ ମୋତେ ଅନେକ କିଛି ଦେଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆପଣମାନଙ୍କ ଭଲ ପାଇବା ପାଇଛି। ଏହି ଯାତ୍ରାରେ ମୋତେ ସମର୍ଥନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି। ଆଜି ମୁଁ କିଛି ନୂଆ କରିବାକୁ ଯୋଜନା କରୁଛି ଯାହାଦ୍ବାରା ଅନେକ ଲୋକଙ୍କୁ କିଛି ସାହାଯ୍ୟ ମିଳି ପାରିବ। ଆଶା କରୁଛି ଜୀବନର ଏହି ଅଧ୍ୟାୟରେ ବି ଆପଣମାନଙ୍କ ସମର୍ଥନ ମିଳିବ।”

ଗାଙ୍ଗୁଲିଙ୍କ ଏଭଳି ଟ୍ବିଟ୍‌ ପରେ ସେ ବିସିସିଆଇ ପଦରୁ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଏହି ଖବରକୁ ଖଣ୍ଡନ କରିଛି ବିସିସିଆଇ ସଚିବ ଜୟ ଶାହ। ଏକ ଖବର ସରବରାହ ସଂସ୍ଥାକୁ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଜୟ ଶାହ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବିସିସିଆଇ ସଭାପତି ଭାବରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବ।