ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର: ଏୟର ଇଣ୍ଡିଆ ଟିକେଟର ବେସିକ ମୂଲ୍ୟରେ ୫୦% ରିହାତି

ନୂଆଦିଲ୍ଲୀ,ଏଜେନ୍ସି: ଇନ୍ଧନ ଦର ବୃଦ୍ଧି ହେତୁ ବିମାନ ଟିକେଟ ମୂଲ୍ୟ ଆକାଶ ଛୁଆଁ ହେବାରେ ଲାଗିଲାଣି। ନିୟମିତ ବିମାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ବର୍ତ୍ତମାନ ବର୍ଦ୍ଧିତ ଦର ଚିନ୍ତା ବଢାଇଲାଣି। ଏହାରି ମଧ୍ୟରେ ବରିଷ୍ଠ ନାଗରିକ ବିମାନ ଯାତ୍ରୀଙ୍କ ପାଇଁ ବଡ ଘୋଷଣା କରିଛି ଏୟାର ଇଣ୍ଡିଆ।

ଏୟାର ଇଣ୍ଡିଆ ୱେବସାଇଟ ଅନୁଯାୟୀ, ୬୦ ବର୍ଷରୁ ଅଧିକ ବୟସ୍କ ଭାରତୀୟ ନାଗରିକଙ୍କୁ ଯାତ୍ରା ଟିକେଟର ସାଧାରଣ ମୂଲ୍ୟ ଉପରେ ୫୦ ପ୍ରତିଶତ ରିହାତି ଦିଆଯିବ। ଏଥିପାଇଁ ସେମାନଙ୍କୁ ଯାତ୍ରାର ଅତି କମରେ ତିନି ଦିନ ପୂର୍ବରୁ ଟିକେଟ ବୁକ୍ କରିବାକୁ ପଡିବ। ଏହି ଅଫର କେବଳ ଇକୋନୋମି ବର୍ଗ ପାଇଁ ପ୍ରଦାନ କରାଯିବ।

ଏହି ନୂତନ ଅଫର ପାଇଁ ସଂସ୍ଥା କିଛି ସର୍ତ୍ତାବଳୀ ମଧ୍ୟ ରଖିଛି। ଏହି ରିହାତି ପାଇବାକୁ ଥିବା ବରିଷ୍ଠ ନାଗରିକମାନଙ୍କୁ ବୋର୍ଡିଂ ପାସ ନେବା ବେଳେ ପରିଚୟପତ୍ର ଦେଖାଇବାକୁ ପଡିବ। ପରିଚୟପତ୍ର ବିନା ଏହି ସୁବିଧା ମିଳିପାରିବ ନାହିଁ। ସଂସ୍ଥାର ୱେବସାଇଟ୍ airindia.in ଅନୁଯାୟୀ, ଦେଶ ଭିତରେ ଯେ କୌଣସି ଅଞ୍ଚଳ ଯାତ୍ରା ସମୟରେ ବରିଷ୍ଠ ନାଗରିକ ଏହି ରିହାତି ପାଇପାରିବେ। ଯଦି ବରିଷ୍ଠ ନାଗରିକମାନେ ଟିକେଟ୍ ବୁକ୍ କରିବା ପରେ ଯାତ୍ରା ତାରିଖରେ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେମାନଙ୍କୁ ଅତିରିକ୍ତ ଭାବେ ରିସିଡ୍ୟୁଲ ଦେୟ ଦେବାକୁ ପଡିବ।