- ଭୁବନେଶ୍ୱର: ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ର ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣା ଉପରୁ ଏବେ ବି ରହସ୍ୟ ହଟିନି। ୨୨ ଦିନ ପରେ ମଧ୍ୟ ପୁଲିସ୍ ଘଟଣା ଉପରୁ ପର୍ଦ୍ଦା ହଟାଇ ପାରିନାହିଁ। ସେଥିପାଇଁ ଆସନ୍ତାକାଲି ପାରଳାଖେମୁଣ୍ଡି ପୁଲିସ ପୁଣି ଥରେ ମୟୂରଭଞ୍ଜ କପ୍ତିପଦାସ୍ଥିତ ବିଦ୍ୟାଭାରତୀଙ୍କ ଗୌଡ଼ ଗାଁକୁ ଯିବ। ସୌମ୍ୟଙ୍କ ମୃତ୍ୟୁ ଦିନ କପ୍ତିପଦାର ଏକ ଗାଡ଼ି ବିଦ୍ୟାଭାରତୀଙ୍କୁ ଆଣିବାକୁ ଯାଇଥିଲା। ସେହି ଗାଡ଼ିର ଡ୍ରାଇଭରଙ୍କୁ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ଏଣେ ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ। ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା ଓ ମା’ଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର। ତା’ସହ ବିଦ୍ୟାଭାରତୀଙ୍କ ସହପାଠୀ କୁହାଯାଉଥିବା ଉଦଳା ଅଞ୍ଚଳର ଅକ୍ଷୟଙ୍କୁ ମଧ୍ୟ ପଚରାଉଚରା କରାଯିବା ଉଚିତ ବୋଲି କହିଛନ୍ତି ସୌମ୍ୟଙ୍କ ମାମୁ ପୁଅ ଭାଇ।