- ବାଲେଶ୍ୱର, ଏନଏନଏସ: ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ (୭୫)ଙ୍କ ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ଆମ୍ରି ହସ୍ପିଟାଲରେ ସନ୍ଧ୍ୟା ୭ଟା ୨୦ରେ ତାଙ୍କର ପରଲୋକ ହୋଇଛି। ଏନେଇ ଆମ୍ରି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବାଲେଶ୍ୱରରୁ ୫ ଥର ବିଧାୟକଭାବେ ନିର୍ବାଚିତ ହୋଇଥିଲେ ଅରୁଣ। ୩ଥର ଏନସିପିରୁ, ଥରେ ଓଜିପିରୁ ଓ ଥରେ ସ୍ୱାଧୀନ ଭାବେ ଜିତିଥିଲେ ଅରୁଣ। ଅରୁଣ ଦେ ୧୯୪୬ ମସିହାର ଏପ୍ରିଲ ୩୦ ତାରିଖରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ କଳାରେ ସ୍ନାତକ ଏବଂ ଓକିଲାତି ପଢ଼ିବା ପରେ ଜଣେ ଆଇନଜୀବୀଭାବେ କାର୍ଯ୍ୟ କରୁଥିଲେ। ସେ ଓଡ଼ିଶା ରାଜନୀତିରେ ପ୍ରଥମେ କମ୍ୟୁନିଷ୍ଟ ପାର୍ଟିର କର୍ମକର୍ତ୍ତାଭାବେ ସକ୍ରିୟ ଥିଲେ ଏବଂ ପରେ ଓଡ଼ିଶା ଗଣ ପରିଷଦରେ ଯୋଗ ଦେଇଥିଲେ। ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକଭାବେ କାର୍ଯ୍ୟ କରିଥିଲେ। ୧୯୭୪, ୧୯୮୦ ଓ ୧୯୯୦ ମସିହାରେ ସିପିଆଇ ପ୍ରାର୍ଥୀଭାବେ ୧୯୯୫ ମସିହାରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଏବଂ ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦର ପ୍ରାର୍ଥୀ ଭାବରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।