ମାଟ୍ରିକ ବି-୨ ଗ୍ରେଡ୍ ପାଇଲେ ସୋରଡ଼ା ବିଧାୟକ

  • ସୋରଡା,ବୁଗୁଡା: ଦଶମ ଶ୍ରେଣୀ (ଏସଓଏସସି) ପରୀକ୍ଷାରେ ବି-୨ ଗ୍ରେଡ୍ ରଖିଛନ୍ତି ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ସେ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଦେଇଥିଲେ। ମଙ୍ଗଳବାର ପ୍ରକାଶିତ ରେଜଲ୍ଟରେ ବିଧାୟକ ୫୦୦ରୁ ୩୪୦ ମାର୍କ ରଖିଛନ୍ତି। ସେ ସୋରଡାର ଏସ୍.ବି. ହାଇସ୍କୁଲରେ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଧାୟକ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ପାଠପଢା ଆଗରେ ବୟସର ତାରତମ୍ୟ ନଥାଏ। ଦୃଢ ମନୋବଳ ଆଗରେ ସବୁକିଛି ହାର ମାନେ ବୋଲି ସେ କହିଛନ୍ତି। ଅପରପକ୍ଷରେ ବୟସ ଯାହା ବି ହେଉନା କାହିଁକି, ପରିସ୍ଥିତି ଯେମିତି ବି ଥାଉନା କାହିଁକି ଯଦି ଆମେ ମାନସିକସ୍ତରରେ ନିଶ୍ଚିତ ରହିବା ତେବେ ସଫଳତା ନିଶ୍ଚିତ ମିଳିବ ବୋଲି ଏଥିରୁ ପ୍ରେରଣା ମିଳେ।
    ଅପରପକ୍ଷରେ ମାଟ୍ରିକ ଅଫଲାଇନ ପରୀକ୍ଷା ଦେଇ ନିଜ ମାର୍କରେ ଉନ୍ନତି ଆଣିବା ସହ ଏ-୧ ଗ୍ରେଡ୍ ହାସଲ କରିଛନ୍ତି ବୁଗୁଡା ବ୍ଲକ ଶଙ୍କୁରୁ ଗ୍ରାମସ୍ଥିତ ଭଗବତ ସ୍ୱାମୀ ବିଦ୍ୟାପୀଠର ଛାତ୍ର ବାବୁନା ସାହୁ। ପୂର୍ବରୁ ବାବୁନାଙ୍କୁ ମୋଟ ୪୫୨ ମାର୍କ ମିଳିଥିଲା। ପରୀକ୍ଷା ଫଳରେ ଅସନ୍ତୁଷ୍ଟ ପ୍ରକାଶ କରି ସେ ଅଫଲାଇନରେ ପରୀକ୍ଷା ଦେଇଥିଲେ। ଏବେ ସେ ୫୪୪ ନମ୍ବର ରଖିଛନ୍ତି। ସେହିପରି ତାଙ୍କ ସହପାଠୀ ତଥା ସେହି ସ୍କୁଲର ଅନ୍ୟତମ ଛାତ୍ର ବଳଦେବ କର ପୂର୍ବରୁ ୪୪୫ ମାର୍କ ରଖିଥିବାବେଳେ ଏବେ ୫୨୬ ମାର୍କ ରଖି ଏ-୨ ଗ୍ରେଡ୍ ହାସଲ କରିଛନ୍ତି।