ଖଣ୍ଡାଧାରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରୋପୱେ ବ୍ୟବସ୍ଥା

  • ବଣାଇଗଡ଼: ବଣାଇଗଡ଼ ବନବିଭାଗ ସମ୍ମିଳନୀ କକ୍ଷରେ ଖଣ୍ଡାଧାର ଜଳପ୍ରପାତ ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଣାଇ ବନଖଣ୍ଡ ଅଧିକାରୀ ସନଥ କୁମାର ଏନ୍ ଅଧ୍ୟକ୍ଷତା କରିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯୋଗଦେଇ ଖଣ୍ଡାଧାର ଜଳପ୍ରପାତର ଉନ୍ନତିକରଣ ପାଇଁ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ।
    ୨୦୧୭ ମଇ ୩୦ ତାରିଖଠାରୁ ଖଣ୍ଡାଧାର ଜଳପ୍ରପାତ ଇକୋ-ଟୁରିଜିମ୍ ହାତକୁ ଯିବା ପରେ ଏହାର ପରିଚାଳନା ଦାୟିତ୍ୱ ବଣାଇ ବନ ବିଭାଗ ହାତରେ ନ୍ୟସ୍ତ କରାଯାଇଛି। ସେବେଠାରୁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ଖଣିଜ ସଂସ୍ଥାନ ପାଣ୍ଠିରୁ ଅର୍ଥ ବିନିଯୋଗ କରି ୨୭ଟି ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିବାବେଳେ ଆଗାମୀ ଦିନରେ ଆଉ ୯ଟି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ତାଳବାହାଳି ଓ ଲଡ଼ାପାଣି ବନସୁରକ୍ଷା ସମିତି ଦ୍ୱାରା ଖଣ୍ଡାଧାର ଜଳପ୍ରପାତର ବିଭିନ୍ନ କାର୍ଯ୍ୟରେ ଲୋକମାନଙ୍କୁ ନିଯୁକ୍ତି ଦିଆଯାଇଛି।
    ସେହିପରି ୬ଟି ୨ ଶଯ୍ୟା ବିଶିଷ୍ଟ କଟେଜ୍ ଏବଂ ୪ଟି ୨ ଶଯ୍ୟା ବିଶିଷ୍ଟ ଇକୋ-କଟେଜ୍ ନିର୍ମାଣ କରାଯାଇ ଏହାକୁ ଖଣ୍ଡାଧାର ନେଚର କ୍ୟାମ୍ପଭାବେ ବ୍ୟବହାର କରାଯାଉଛି। ବୈଠକରେ ପର୍ଯ୍ୟଟକଙ୍କଠାରୁ ନିଆଯାଉଥିବା ବିଭିନ୍ନ ପ୍ରକାର ଦେୟ ଆଂଶିକ ବୃଦ୍ଧି କରାଯାଇଛି। ସେହିପରି ପର୍ଯ୍ୟଟକଙ୍କ ସୁବିଧା ପାଇଁ ରୋପୱେ ବ୍ୟବସ୍ଥା ଓ ପର୍ଯ୍ୟଟନସ୍ଥଳରେ ମୋବାଇଲ ଟାୱାର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ବଣାଇ ପିଏ ଆଇଟିଡିଏ ଲଲାଟ କୁମାର ଲୁହା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମୁଜିବୁର ରେହମାନ, ସହକାରୀ ବନ ସଂରକ୍ଷକ ମହେନ୍ଦ୍ର ନାଥ, ଯଶୋବନ୍ତ କରାଳୀ, ବନାଂଚଳ ଅଧକାରୀ ମୁକ୍ତିକାନ୍ତ ପରିଡ଼ା, ନବୀନ କୁମାର ପ୍ରଧାନ, ତାଳବାହାଳି ସରପଞ୍ଚ ବୁଧୁରାମ ନାଏକ, ବନ୍ୟଜନ୍ତୁ ସଂରକ୍ଷକ ଆଶୁତୋଷ ନାଏକ, ପ୍ରଦୀପ କୁମାର ତ୍ରିପାଠୀ, ତପନ କୁମାର ଦଣ୍ତିଆ, ଦିଲ୍ଲୀପ କୁମାର ତ୍ରିପାଠୀ, ଜିତେନ୍ଦ୍ରିୟ ଆଚାର୍ଯ୍ୟ, ଅଜୟ କୁମାର ମହାନ୍ତ, ଗୀରେନ୍ଦ୍ର ସାହୁ, ରାଜେନ୍ଦ୍ର ପ୍ରଧାନ, ବୀର ଦେହୁରୀ, ଡାକ୍ତର ଅବିନାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ବନସଂରକ୍ଷକ ମହେନ୍ଦ୍ର ନାଥ ଧନ୍ୟବାଦ ଅର୍ପଣ କରିଥିଲେ।