ଅଣ୍ଡା ତରକାରୀ ପାଇଁ ମା’କୁ ହତ୍ୟା କଲା ପୁଅ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଅଣ୍ଡା ତରକାରୀ ତିଆରି ନକରିବାରୁ ମା’କୁ ହତ୍ୟା କଲା ପୁଅ। ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନାନୁଯାୟୀ, ଇବ୍ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ରାଜେଶ ଭୋଇ(୨୭) ମା’ କୁମୁଦିନୀ ଭୋଇଙ୍କୁ ଅଣ୍ଡା ତରକାରୀ ରାନ୍ଧିବାକୁ କହିଥିଲେ। ହେଲେ କୁମୁଦିନୀ ରାନ୍ଧିବାକୁ ମନା କରିବାରୁ ରାଜେଶ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ କୁମୁଦିନୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି। ଏହାସହିତ ସାଇଣ୍ଟିଫିକ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ହତ୍ୟାକାରୀ ପୁଅକୁ ପୁଲିସ ଅଟକ ରଖି ପଚରାଉଚୁରା କରୁଥିବା ସଦର ଥାନାଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।