ସାବାଡ୍ ହେବେ ସାମାଜିକ ଗଣମାଧ୍ୟମ; ନିୟମ ଭଙ୍ଗ କ୍ଷେତ୍ରରେ ଲାଗିବ ଆର୍ଥିକ ଦଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଫେସ୍‌ବୁକ୍‌, ଟ୍ୱିଟର୍‌, ଇନ୍‌ଷ୍ଟାଗ୍ରାମ ଆଦି ସାମାଜିକ ଗଣମାଧ୍ୟମଗୁଡ଼ିକ ବିରୋଧରେ ସାଧାରଣତଃ ବ୍ୟକ୍ତିଗତ ତଥା ଗୋପନୀୟ ତଥ୍ୟ ଚୋରି ଅବା ଏହାର ଅନୈତିକ ଉପାୟରେ ବ୍ୟବହାର ଜନିତ ଖବର ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏପରି ଅଭିଯୋଗ ଆସିଥାଏ। ଏଥିରେ ଦେଶର ସ୍ୱୟଂଭୂ, ଅସ୍ମିତା ତଥା ସାର୍ବଭୌମତା ବିଶେଷ କରି ସୁରକ୍ଷା ଯୋଡ଼ି ହୋଇ ରହିଥାଏ। ଏହି ଦୃଷ୍ଟିକୋଣରୁ କେନ୍ଦ୍ର ସରକାର ସାମାଜିକ ଗଣମାଧ୍ୟମଗୁଡ଼ିକର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବା ପାଇଁ ତଥା ଏମାନଙ୍କ ଅନୈତିକ ଗତିବିଧିକୁ ରୋକିବା ପାଇଁ ଏକ ନିୟାମକ ସଂସ୍ଥା ଗଠନ କରିବା ନେଇ ବିଚାର କରୁଛନ୍ତି। ସଂସଦର ଆଗାମୀ ଶୀତ ଅଧିବେଶନରେ ଏ ନେଇ ବିଧେୟକ ଆସିବାର ସମ୍ଭାବନା ରହିଛି।

ନିୟମ ଭାଙ୍ଗିବା କ୍ଷେତ୍ରରେ ମୋଟ ଲାଭର ୪% ପର୍ଯ୍ୟନ୍ତ ଜୋରିମାନା ଲାଗିବାର ପ୍ରାବଧାନ କରାଯାଇପାରେ। ବିଗତ ୨୦୧୯ରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ସୁପାରିସ୍ କରାଯାଇଥିବା ବ୍ୟକ୍ତିଗତ ପ୍ରୋଟେକ୍ସନ୍ ବିଲ୍ ଆଧାରରେ ଏକ ନିୟାମକ ସଂସ୍ଥା ଗଠନ କରାଯିବ ଯାହା ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ପରି କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି। ଗୁଗଲ ଓ ଅମାଜନ୍ ପରି କମ୍ପାନୀମାନେ ଯେଉଁମାନେ ବ୍ୟକ୍ତିଗତ ତଥ୍ୟ ଜମା କରୁଛନ୍ତି ସେମାନଙ୍କ ଗତିବିଧି ଉପରେ ଏହା କଡ଼ା ନଜର ରଖିବ। ଏ ନେଇ ଗଠିତ କମିଟିର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ପି ପି ଚୌଧୁରୀ କହିଛନ୍ତି ଯେ ଚଳିତ ୨୯ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ସଂସଦର ଶୀତ ଅଧିବେଶନରେ ବିଧେୟକ ଆଗତ କରାଯିବ।