ଟୁଇଟରକୁ ଝଟକା: ଅଭିଯୋଗ ଅଧିକାରୀଙ୍କ ଇସ୍ତଫା, ନୂଆ ଆଇଟି ନିୟମରେ ମିଳିଥିଲା ନିଯୁକ୍ତି

ନୂଆଦିଲ୍ଲୀ,ଏଜେନ୍ସି: ସାମାଜିକ ଗଣମାଧ୍ୟମ ‘ଟୁଇଟର’ର ଭାରତରେ ନିଯୁକ୍ତ କରାଯାଇଥିବା ଅନ୍ତରୀଣ ଅଭିଯୋଗ ଅଧିକାରୀ ନିଜର ପଦରୁ ଇସ୍ତଫା ଦେଇଛନ୍ତି। ନୂଆ ଆଇଟି ନିୟମ ଅନୁସାରେ ତାଙ୍କୁ ନିଯୁକ୍ତି ମିଳିଥିଲା। ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ନିକଟରେ ଭାରତରେ ଟୁଇଟର ପକ୍ଷରୁ ନିଯୁକ୍ତ ଅନ୍ତରୀଣ ଅଭିଯୋଗ ଅଧିକାରୀ ଧର୍ମେନ୍ଦ୍ର ଚତୁର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ଟୁଇଟରର ୱେବସାଇଟରେ ଏବେ ଚତୁରଙ୍କ ନାମ ଦେଖାଯାଉ ନାହିଁ। ଆଇଟି ନିୟମ-୨୦୨୧ ଅନୁସାରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଜର ୱେବସାଇଟରେ ନିଜର ସେହି ଅଧିକାରୀଙ୍କ ନାମ ଏବଂ ସଂପର୍କର ଠିକଣା ଦେବା ଜରୁରୀ। ଟୁଇଟର ଘଟଣାକ୍ରମରେ ଟିପ୍ପଣୀ କରିବାକୁ ମନା କରିଛି। ଚତୁର ଏଭଳି ଏକ ସମୟରେ ଇସ୍ତଫା ଦେଇଛନ୍ତି, ଯେଉଁ ସମୟରେ ନୂଆ ସୋସିଆଲ ମିଡିଆକୁ ନେଇ ଟୁଇଟର ଓ ସରକାରଙ୍କ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି।

ସରକାର ଟୁଇଟର ଉପରେ ଜାଣିଶୁଣି ଏହି ନୂଆ ନିୟମ ପାଳନ କରାଯାଇ ନଥିବା ଅଭିଯୋଗ ଆଣିଛନ୍ତି ଏବଂ ଏହାର ସମାଲୋଚନା କରିଛନ୍ତି। ନୂଆ ନିୟମ ଗତ ମେ’ ମାସ ୨୫ ତାରିଖ ଠାରୁ ଲାଗୁ ହୋଇଛି। ଟୁଇଟର ଅତିରିକ୍ତ ସମୟ ଶେଷ ହୋଇଯାଇଥିଲେ ବି ଜରୁରୀ ଅଧିକାରୀଙ୍କ ନିଯୁକ୍ତି କରି ନାହିଁ, ଯେଉଁଥି ପାଇଁ ଭାରତରେ ଇଣ୍ଟରମିଡିଏଟ ଡିଜିଟାଲ ଫୋରମକୁ ସଂରକ୍ଷଣ ବ୍ୟବସ୍ଥା ଜରିଆରେ ମିଳିବାକୁ ଥିବା ରିହାତି ଅଧିକାର ହରାଇଛି।