ପୁଲୱାମାରେ ଆତଙ୍କୀଙ୍କ ବର୍ବର କାଣ୍ଡ: ଘରେ ପଶି ଏସପିଓ ଓ ତାଙ୍କ ସ୍ତ୍ରୀଙ୍କୁ ଗୁଳିକରି ହତ୍ୟା, ଗୁରୁତର ଝିଅ ହସ୍ପିଟାଲରେ ଭର୍ତ୍ତି

ଶ୍ରୀନଗର,ଏଜେନ୍ସି: ଜମ୍ମୁ ଏୟାରପୋର୍ଟର ଏୟାରଫୋର୍ସ ଷ୍ଟେସନରେ ଆତଙ୍କବାଦୀମାନେ ଗତକାଲି ଡ୍ରୋନ ଆକ୍ରମଣ କରିବା ପରେ ଆଉ ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଜମ୍ମୁ କଶ୍ମୀରର ତ୍ରାଲରେ ଆତଙ୍କବାଦୀମାନେ ଜଣେ ପୁଲିସ କର୍ମଚାରୀଙ୍କ ପରିବାରକୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ଏସପିଓ ଯବାନ ଫାଇଜଲ ଅହମ୍ମଦ ତାଙ୍କର ପତ୍ନୀ ଓ ଝିଅଙ୍କୁ ଗୁଳି ମାରିଛନ୍ତି। ଫଳରେ ଅହମ୍ମଦଙ୍କ ଘଟଣାସ୍ଥଳରେ ହିିଁ ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଅବସ୍ଥାରେ ଥାଇ ଚିକିତ୍ସିତ ହେଉଛନ୍ତି।

କଶ୍ମୀର ଜୋନ ପୁଲିସ ଅନୁସାରେ ଅବନ୍ତୀପୋରାର ହରିପରିଗିଗାମର ଏସପିଓ ଯବାନ ଅହମ୍ମଦଙ୍କ ଘରେ ଆତଙ୍କବାଦୀମାନେ ପ୍ରବେଶ କରିଥିଲେ। ସେମାନେ ଆଖି ବନ୍ଦ କରି ଗୁଳିଚାଳନା କରିଥିଲେ। ଏହି ଗୁଳିମାଡ଼ ଘଟଣାରେ ଅହମ୍ମଦଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପତ୍ନୀ ଓ ଝିଅ ଗୁରୁତର ହୋଇଥିଲେ। ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଝିଅ ଏବେ ମୃତ୍ୟୁ ସହିତ ସଂଗ୍ରାମ କରୁଛି। ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀର ଯବାନମାନେ ଘେରାବନ୍ଦୀ କରିଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି।