ଲୋକଙ୍କୁ ୧୦୦ ଦିନ ହେଲା ଖାଦ୍ୟ ଯୋଗାଉଛି ‘ସ୍ମାଇଲ ଫର ଅଲ’

ବଲାଙ୍ଗିର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ନେଇ ଦେଶର ଲକଡାଉନ କଟକଣା ଜାରି ହେବା ପରଠୁ ଅସହାୟ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଆସୁଛି ବଲାଙ୍ଗିରର ସ୍ୱେଚ୍ଛାସେବୀ ସଙ୍ଗଠନ ‘ସ୍ମାଇଲ ଫର ଅଲ’। ଗତ ମାର୍ଚ୍ଚ ୪ ତାରିଖରୁ ସଙ୍ଗଠନ ତରଫରୁ ରାସ୍ତା କଡ଼ରେ, ରେଲୱେ ଷ୍ଟେସନରେ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହୁଥିବା ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛିି । ଦିନକୁ ପ୍ରାୟ ୫୦୦ ରୁ ୭୦୦ ଲୋକଙ୍କୁ ଏହି ସଙ୍ଗଠନ ଖାଦ୍ୟ ଯୋଗାଉଛି। ଲକଡାଉନଙ୍କୁ ଦୃଷ୍ଟିରେ ରଖି ଲୋକଙ୍କ ସେବା କରିବା ପାଇଁ ସହରର କିଛି ଉଦ୍ୟମୀ ଯୁବକ ‘ସ୍ମାଇଲ ଫର ଅଲ’ ନାମରେ ଏକ ସଙ୍ଗଠନ ଗଠନ କରିଥିଲେ। ପ୍ରଥମେ ସଙ୍ଗଠନର ସଭ୍ୟମାନେ ଘରୁ ଖାଦ୍ୟ ଆଣି ଲୋକଙ୍କୁ ଯୋଗାଇ ଦେଇଥିଲେ। ପରେ ସେମାନେ ନିଜ ପକେଟରୁ କିଛି କିଛି ଅର୍ଥ ଦେଇ ଲୋକଙ୍କ ପାଇଁ ଖାଦ୍ୟ ରାନ୍ଧି ଯୋଗାଇବା ଆରମ୍ଭ କରିଥିଲେ। ଏମାନଙ୍କର ସେବା ମନୋଭାବ ଦେଖି ସ୍ଥାନୀୟ କିଛି ସହୃଦୟ ବ୍ୟକ୍ତି ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଇତିମଧ୍ୟରେ ସଙ୍ଗଠନକୁ ୧୦୦ଦିନ ପୁରିଥିବାରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର ଅଧୀକ୍ଷକ ଡା.ମହେନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ଭାବେ ଟାଉନଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ, ଉପଦେଷ୍ଟା ଲୋଟସ ଷଡ଼ଙ୍ଗୀ, ସୁମିତ ଭରଦ୍ୱାଜ, ବିରଂଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଯେତେଦିନ ପର୍ଯ୍ୟନ୍ତ ଲୋକେ ଭୋକିଲା ଥିବେ ସେମାନଙ୍କୁ ଖାଦ୍ୟ ଯୋଗାଇବୁ ବୋଲି ସଙ୍ଗଠନର ସଭ୍ୟମାନେ ଏହି ଅବସରରେ ଶପଥ ନେଇଛନ୍ତି। ତେବେ ଲୋକଙ୍କୁ ଖାଦ୍ୟ ବଣ୍ଟନରେ ଅନୁଷ୍ଠାନର ସଭାପତି ସାମସନ ମିଶାଲ , ସମ୍ପାଦକ ସଞ୍ଜୀବ ସାହୁ, ସୁବ୍ରତ ଉପାଧ୍ୟାୟ, ବାବୁଲୁ ମିଶ୍ର, ସୁନୀଲ ପ୍ରଧାନ, ସୁରେଶ କମ୍ପ ଓ ସୁଧିର ରାଉତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।