ମାଲକାନଗିରି ପୌର ପରିଷଦରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨ୟ ଦିନରେ ସଟଡାଉନ କଡ଼ାକଡ଼ି ପାଳନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ମାଲକାନଗିରି ପୌରପରିଷଦ ଅଞ୍ଚଳର ଓ ସେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ ସହରବାସୀଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସଂକ୍ରମଣ ଚେନକୁ ରୋକିବା ପାଇଁ ଗତ ଶୁକ୍ରବାର ରାତ୍ରି ୮ଟାରୁ ଆଜି ଅର୍ଥାତ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ଏଥିଯୋଗୁ ପୌର ପରିଷଦ ଅଞ୍ଚଳର କିଛି ଔଷଧ ଦୋକାନକୁ ବାଦ ଦେଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମାଲକାନଗିରି ସହରର ରାସ୍ତାଘାଟ ଶୂନଶାନ ହୋଇପଡ଼ିଛି । ନିୟମକୁ କଡ଼ାକଡ଼ି ପାଳନ ପାଇଁ ପୁଲିସ ପକ୍ଷରୁ ସହରର ବିଭିନ୍ନ ଛକ ଓ ପ୍ରବେଶ ପଥରେ ଯାଞ୍ଚ କରାଯାଉଛି । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପୌର ପରିଷଦ ଅଞ୍ଚଳର ବିଭିନ୍ନ ୱାର୍ଡ ବୁଲି ସଟଡାଉନର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହିତ ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ସର୍ଭେ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଆଉ ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷକ, ଶିକ୍ଷୟତ୍ରୀ, ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଉତ୍ସାହିତ କରିବା ସହ ଠିକ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫୮ଜଣ ଚିକିତ୍ସାଧୀନ ଅଛନ୍ତି।