ଦିନକରେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଡ଼ବିଲ ସହରକୁ ୭ ଦିନ ପାଇଁ ସଟଡାଉନ ଘୋଷଣା

କେନ୍ଦୁଝର,ବଡ଼ବିଲ,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାରୁ ଆଜି ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୧ଟି ଲୋକାଲ କେସ ରହିଛି। ତେବେ ସମସ୍ତ ଲୋକାଲ କେସ ବଡ଼ବିଲ ସହରର ଓ ସେମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ତେଣୁ ବଡ଼ବିଲ ସହରକୁ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ। ସେହିପରି ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ୧୩ ଜଣ ବାହାର ରାଜ୍ୟରୁ ଆସି ଟିଏମସି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ଓ ଅନ୍ୟଜଣେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଏହି ୧୪ ଜଣ ପାଟଣା ବ୍ଲକ, ହରିଚନ୍ଦନପୁର ବ୍ଲକ, ଘଟଗାଁ ବ୍ଲକ ଓ କେନ୍ଦୁଝର ସଦର ବ୍ଲକ ଅଞ୍ଚଳର ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଗତ ୨୮ ତାରିଖ ଦିନ ବଡ଼ବିଲ ଅଞ୍ଚଳରୁ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ। ସେ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ସେଠାରେ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ଅଞ୍ଚଳରୁ ୧୧ ଜଣ ପଜିଟିଭ ବାହାରିବା ପରେ ପ୍ରଶାସନରେ ଚିନ୍ତା ଘାରିଛି। ତେଣୁ କିପରି ଏହା ଗୋଷ୍ଠୀ ସଂକ୍ରମଣର ରୂପ ନ ନେବ ତାହାକୁ ନଜରରେ ରଖି ବଡ଼ବିଲ ସହରକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ବଡବିଲ ସହରକୁ ବିଶୋଧନ କରାଯାଉଛି।

ଅନ୍ୟପକ୍ଷରେ ଜିଲ୍ଲାରେ ଗୋଟିଏ ଦିନରେ ୨୫ ଅକ୍ରାନ୍ତ ବାହାରିବା ପରେ ଜିଲ୍ଲାର ସମୁଦାୟ ଆକ୍ରାନ୍ତ ସଂଖ୍ୟା ୧୮୨ କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୧୦୧ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୧ ଜଣ କେନ୍ଦୁଝର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।