ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ

ରାମନାଗୁଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ପରିସରରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ ପ୍ରଦାନ କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସ୍ମାର୍ଟ ଫୋନ୍ ମାଧ୍ୟମରେ ଅଙ୍ଗନବାଡ଼ି କର୍ମୀମାନେ କେନ୍ଦ୍ରର ସମସ୍ତ ପ୍ରକାର କାର୍ଯ୍ୟର ତଥ୍ୟ ଉପରିସ୍ଥ ଅଧିକାରୀ ତଥା ବିଭାଗକୁ ଯୋଗାଇ ପାରିବେ। ରାମନାଗୁଡ଼ା ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ ପ୍ରଥମ ପର୍ଯ୍ୟାୟରେ ୧୩ଜଣ ଅଙ୍ଗନବାଡ଼ି କର୍ମୀ ଏବଂ କାର୍ଯ୍ୟାଳୟର ୪ଟି ମଣ୍ଡଳ ପରିଦର୍ଶିକା, କାର୍ଯ୍ୟାଳୟର ୭ଜଣ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ୍ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୧୩୦ ଜଣଙ୍କୁ ଏହା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଅଧୀନ ୪ଟି ମଣ୍ଡଳର ପରିଦର୍ଶିକା ସୁବୁଦ୍ଧି ଶବର, ସାବିତ୍ରୀ ନାୟକ, ପଦ୍ମିନୀ ବଡ଼ କୁମାର, ଲଙ୍କେଶ୍ୱରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।