ଧୂଆଁ ଆସ୍ତରଣ ମଧ୍ୟରେ ମାଲକାନଗିରି

ମାଲକାନଗିରି,ଏନ୍ଏନ୍ଏସ୍: ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଫଳରେ ମାଲକାନଗିରି ସହର ଧୂଆଁର ଆସ୍ତରଣ ଢ଼ାଙ୍କି ହୋଇ ରହିଛି। ଗତ ୨ ଦିନ ଧରି ମାଲକାନଗିରି ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳ ଧୂଅାଁମୟ ହୋଇ ରହିଥିବା ଦେଖିବାକୁ ମିଳିଛି। ଅଚାନକ ଏପରି ଧୂଆଁମୟ ପରିବେଶ ଦେଖି ଲୋକଙ୍କମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲା ସମେତ ସମସ୍ତ ଜାତୀୟ ରାଜପଥରେ ଏହି ଧୂଆଁର ପ୍ରଭାବ ଯୋଗୁଁ ଯାତାୟତରେ ନାନା ସମସ୍ୟାର ଉପୁଜିଛି। ଜିଲ୍ଲାର ବାଳିମେଳା ଓ ଚିତ୍ରକୋଣ୍ଡା ଘାଟି ସହ ଜିଲ୍ଲା ସଦରମହକୁମାର ମଲ୍ଲୀକେଶ୍ୱର ପାହାଡ଼ରେ ପ୍ରବଳ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବାରୁ ତାପମାତ୍ରା ବୃଦ୍ଧି ସହ ଜୀବଜନ୍ତୁଙ୍କ ପ୍ରତି ବିପଦ ଦେଖାଦେଇଛି। ଗତକାଲି ମାଲକାନଗିରି ସହର ଧୂଆଁମୟ ହୋଇଥିବାବେଳେ ଆଜି ମଧ୍ୟ ତଳସାହି ଅଞ୍ଚଳରେ ଧୂଆଁ ଯୋଗୁଁ କୁହୁଡ଼ିର ଭ୍ରମ ସୃଷ୍ଟି ହୋଇଛି। ତେବେ ଖବର ପାଇବା ପରେ ବନବିଭାଗ ପକ୍ଷରୁ ଆଜି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ପଡୁଚାଷ, ମହୁଲ ସଂଗ୍ରହ ପାଇଁ ଜଙ୍ଗଲରେ ଲୋକେ ନିଆଁ ଲଗାଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଖଣ୍ଡିୟ ବନାଧିକାରୀ ପ୍ରଦୀପ ଦେବୀଦାସ ମୀରାସେ ପ୍ରକାଶ କରିଛନ୍ତି।