ଝାରସୁଗୁଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଜନସାଧାରଣଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ାରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି।  ଜିଲ୍ଲାରେ ୧୪୪ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବିଭିନ୍ନ  ପ୍ରକଳ୍ପର ଉଦଘାଟନ ଓ ୧୬୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଝାରସୁଗୁଡ଼ା ସାମିଲ ହୋଇଛି। ଝାରସୁଗୁଡ଼ାର ୧ଲକ୍ଷ ୧୫ ହଜାର ୭୩୦ଜଣ ହିତାଧିକାରୀ ସ୍ମାର୍ଟ ହେଲଥ କାର୍ଡର ସୁବିଧା ପାଇବେ। ଏହାଦ୍ୱାରା ଝାରସୁଗୁଡ଼ା ସମେତ ରାଜ୍ୟର ୯୬ଲକ୍ଷ ପରିବାରର ସାଢ଼େ ୩କୋଟି ଲୋକ ଉପକୃତ ହୋଇପାରିବେ। ଏହାଦ୍ୱାରା ଗରିବ ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସମସ୍ୟା ଭୋଗିବେ ନାହିଁ। ଲୋକେ ଅର୍ଥ ଅଭାବ ପାଇଁ ଚିକିତ୍ସା  ସେବାରୁ ବଂଚିତ ହେବେ ନାହିଁ କି ନିଜର ଜମି ଓ ସୁନା ଗହଣା ବିକ୍ରି କରିବେ ନାହିଁ। ଲୋକେ ବିନା ଖର୍ଚ୍ଚରେ ଏହି କାର୍ଡ ମାଧ୍ୟମରେ ଦେଶର ୨୦୦ଟି ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ପାଇପାରିବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଝାରସୁଗୁଡ଼ାର ସହରଠୁ ଗାଁ ପର୍ଯ୍ୟନ୍ତ ଶୁଦ୍ଧ ପାନୀୟ ଜଳ ଯୋଗାଇବାଠାରୁ ଆରମ୍ଭ କରି କୃଷି ପାଇଁ ଜଳସେଚନ କାର୍ଯ୍ୟ ଜାରି ରହିଛି। ସେହିପରି ଜିଲ୍ଲାରେ ୧୦୦ ଶଯ୍ୟାବିଶିଷ୍ଟ ହାର୍ଟ ହସ୍ପିଟାଲ ସ୍ଥାପନ କରାଯିବ। ଫଳରେ ଜିଲ୍ଲା ଭିତରେ ଲୋକେ ଉନ୍ନତମାନର ଚିକିତ୍ସା ପାଇପାରିବେ। ସେହିପରି ହିରାକୁଦ ନଦୀବନ୍ଧ ଯୋଜନା ପାଇଁ ନିଜର ଜମି ବାଡ଼ି ହରାଇଥିବା ବିସ୍ଥାପିତଙ୍କୁ ଜମିପଟ୍ଟା ଯୋଗାଇ ଦେଇଥିବାରୁ ଖୁସି ଅନୁଭବ କରୁଛି।

 ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡ଼ିଶାବାସୀଙ୍କ ଉନ୍ନତି ଏବଂ ପ୍ରଗତି ତଥା ସୁଖଦୁଃଖର ସାଥୀ ହୋଇ ଛିଡ଼ା ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାବାସୀ କରୋନାକୁ ପ୍ରତିହତ କରିଥିବାବେଳେ ବାତ୍ୟା-ବନ୍ୟା ପରି ସମସ୍ତ ପରିସ୍ଥିତିରେ ବି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷିତ ରଖି ପାରିଛନ୍ତି। ସେହିପରି ଲୋକଙ୍କୁ ବିନା ଦ୍ୱିଧାରେ ଚିକିତ୍ସା ସେବା ଯୋଗାଇବା ପାଇଁ ଦେଶରେ ପ୍ରଥମ କରି ସ୍ମାର୍ଟ ହେଲଥ କାର୍ଡର ବ୍ୟବସ୍ଥା କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶ।।ନ୍ତ ସିଂ, ବରଗଡ଼ ସାସଂଦ ସୁରେଶ ପୂଜାରୀ ଓ ସୁବାଷ ସିଂ ପ୍ରମୁଖଙ୍କ ସହ ଜିଲ୍ଲା ପ୍ରଶାସନ ଅଧିକାରୀ ତଥା ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।