ଥାଇଲାଣ୍ଡ ଓପନ୍ କ୍ୱାର୍ଟର୍‌ରେ ସିନ୍ଧୁ

ବ୍ୟାଙ୍କକ୍‌,ଏଜେନ୍ସି: ଡବଲ୍ ଅଲିମ୍ପିକ୍ ମେଡାଲିଷ୍ଟ୍ ପିଭି ସିନ୍ଧୁ ଗୁରୁବାର କୋରିଆର କିମ୍ ୟୁ ଜିନ୍‌ଙ୍କୁ ହରାଇ ଏଠାରେ ଚାଲିଥିବା ଥାଇଲାଣ୍ଡ୍ ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଷଷ୍ଠ ସିଡ୍ ସିନ୍ଧୁ ୩୭ ମିିନିଟ୍‌ର ମ୍ୟାଚ୍‌ରେ କୋରିଆ ଶଟ୍‌ଲର୍‌ଙ୍କୁ ୨୧-୧୬, ୨୧-୧୩ ସିଧା ଗେମ୍‌ରେ ହରାଇ ଦେଇଥିଲେ। କ୍ୱାର୍ଟର୍ ଫାଇନାଲ୍‌ରେ ସେ ଦ୍ୱିତୀୟ ସିଡ୍ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଏହା ବିଶ୍ୱ ନଂ୭ ସିନ୍ଧୁ ଓ ବିଶ୍ୱ ନଂ ୧ ୟାମାଗୁଚିଙ୍କ ମଧ୍ୟରେ ଏହା ୨୩ତମ ମୁକାବିଲା ହେବ।

ଶେଷଥର ପାଇଁ ଉଭୟଙ୍କ ମଧ୍ୟରେ ଏସିଆନ୍ ଚାମ୍ପିଅନ୍‌ଶିପ୍‌ର ସେମିଫାଇନାଲ୍‌ରେ ମୁକାବିଲା ହୋଇଥିଲା। ଏଥିରେ ସିନ୍ଧୁ ୧୩-୨୧, ୨୧-୧୯, ୨୧-୧୬ରେ ପରାଜିତ ହୋଇଥିଲେ। ଏହା ପୂର୍ବରୁ ଆଜି ଭାରତର ଐତିହାସିକ ଥୋମାସ୍ କପ୍ ବିଜୟର ଅନ୍ୟତମ ପ୍ରମୁଖ କର୍ଣ୍ଣଧାର କିଦାମ୍ବୀ ଶ୍ରୀକାନ୍ତ ଆୟର୍ଲାଣ୍ଡ୍ ପ୍ରତିଦ୍ୱନ୍ଦ୍ୱୀ ଏନ୍‌ହାଟ୍ ଏନ୍‌ଗୁଏନ୍‌ଙ୍କୁ ୱାକ୍‌ଓଭର୍ ଦେଇ ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଥିଲେ। ବିଶ୍ୱର ନଂ୧୧ ଖେଳାଳି ପୂର୍ବରୁ ପୁରୁଷ ସିଙ୍ଗଲ୍ସର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରି ଫ୍ରାନ୍ସର ବ୍ରାଇସ୍ ଲେଭେରଡେଜ୍‌ଙ୍କୁ ୧୮୨୧, ୨୧-୧୦, ୨୧-୧୬ରେ ପରାଜିତ କରିଥିଲେ। ଯୁବ ଭାରତୀୟ ଖେଳାଳି ମାଳବିକା ବନ୍‌ସୋଡ୍ ମହିଳା ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଡେନ୍‌ମାର୍କର ଲିନ୍ ଖ୍ରୀଷ୍ଟୋଫର୍‌ସନ୍‌ଙ୍କଠାରୁ ୨୧-୧୬, ୧୪-୨୧, ୧୪-୨୧ରେ ପରାଜିତ ହୋଇଛନ୍ତି।

ସେହିପରି ଇଶାନ୍ ଭଟନାଗର ଓ ତନିଷା କ୍ରେଷ୍ଟୋଙ୍କ ଭାରତୀୟ ମିକ୍ସଡ୍ ଡବଲ୍ସ ଯୋଡ଼ି ମଧ୍ୟ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି। ସେକେଣ୍ଡ୍ ରାଉଣ୍ଡ୍ ମ୍ୟାଚ୍‌ରେ ଭାରତୀୟ ଯୋଡ଼ିକୁ ଗୋହ ସୁନ୍ ହୁାତ୍ ଓ ଲାଇ ଶେଭନ୍ ଜେମିଙ୍କ ଷଷ୍ଠ ସିଡ୍ ମାଲେସୀୟ ଯୋଡ଼ି ୧୯-୨୧, ୨୦-୨୨ରେ ହରାଇ ଦେଇଥିଲା। ପରେ ମହିଳା ଡବଲ୍ସରେ ଅଶ୍ୱିନୀ ଭଟ୍ କେ ଓ ଶିକ୍ଷା ଗୌତମ ମଧ୍ୟ ପରାଜିତ ହୋଇଛନ୍ତି। ସେମାନେ ମାୟୁ ମାତ୍‌ସୁମୋତୋ ଓ ୱାକାନା ନାଗାହାରାଙ୍କ ପଞ୍ଚମ ସିଡ୍ ଜାପାନୀ ଯୋଡ଼ିଠାରୁ୧୯-୨୧, ୬-୨୧ରେ ହାରିଯାଇଥିଲେ।