ଅଷ୍ଟ୍ରେଲୀୟ ସୁଇମର୍‌ଙ୍କ ବିଶ୍ୱ ରେକର୍ଡ

ଆଡିଲେଡ୍‌,ଏଜେନ୍ସି: ଅଲିମ୍ପିକ୍ ୨୦୦ ମିଟର ବ୍ରେଷ୍ଟ୍‌ଷ୍ଟ୍ରୋକ୍ ଚାମ୍ପିଅନ୍ ଜ୍ୟାକ୍ ଷ୍ଟବଲି-କୁକ୍ ଗୁରୁବାର ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଚାମ୍ପିଅନ୍‌ଶିପ୍‌ରେ ୨ ମିନିଟ୍ ୫.୯୫ ସେକେଣ୍ଡ୍ ସମୟରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ଆଗାମୀ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏଥିସହ ୨୩ ବର୍ଷୀୟ ଜ୍ୟାକ୍ ରୁଷିଆର ଆଣ୍ଟୋନ୍ ଚୁପ୍‌କୋଭ୍‌ଙ୍କୁ ପଛରେ ପକାଇଛନ୍ତି।

ଚୁପ୍‌କୋଭ୍ ଗତ ୨୦୧୯ରେ ୨ ମିନିଟ୍ ୦୬.୧୨ ସେକେଣ୍ଡ୍‌ରେ ୨୦୦ ମିଟର ଦୂରତା ଅତିକ୍ରମ କରିଥିଲେ। ସୂଚନାଯୋଗ୍ୟ ଯେ ଗତବର୍ଷର ଟୋକିଓ ଅଲିମ୍ପିକ୍‌ରେ ଜ୍ୟାକ୍ ୨ ମିନିଟ୍ ୦୬.୩୮ ସେକେଣ୍ଡ୍‌ର ରେକର୍ଡ ସମୟ ସହ ସ୍ୱର୍ଣ୍ଣପଦକ ହାସଲ କରିଥିଲେ।