ଆର୍ଚେରୀ ବିଶ୍ୱକପ୍‌: ଭାରତୀୟ ମହିଳା ରିକର୍ଭ ଟିମ୍‌କୁ ବ୍ରୋଞ୍ଜ୍‌

ଗ୍ୱାଙ୍ଗ୍‌ଜୁ,ଏଜେନ୍ସି: ଏଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପ୍ ଦ୍ୱିତୀୟ ଚରଣରେ ଗୁରୁବାର ଭାରତୀୟ ମହିଳା ଆର୍ଚର୍‌ମାନେ ରିକର୍ଭ ଟିମ୍ ଇଭେଣ୍ଟ୍‌ରେ ବ୍ରୋଞ୍ଜ୍ ଜିତି ଦେଶର ପଦକ ସଂଖ୍ୟାକୁ ୩ରେ ପହଞ୍ଚାଇଛନ୍ତି। ଗୁରୁବାର ଭାରତୀୟ ପୁରୁଷ ଟିମ୍ ନିଜଠାରୁ କମ୍ ର‌୍ୟାଙ୍କ୍‌ର ଫ୍ରାନ୍ସଠାରୁ କ୍ୱାର୍ଟର୍ ଫାଇନାଲ୍‌ରେ ହାରି ବିଦାୟ ନେଇଥିବା ବେଳେ ରିଧି ଫୋର୍‌, କୋମଲିକା ବାରି ଓ ଅଙ୍କିତା ଭକତ୍‌ଙ୍କ ଯୁବ ଟିମ୍ ଏକତରଫା ବ୍ରୋଞ୍ଜ୍ ପଦକ ପ୍ଲେଅଫ୍ ମ୍ୟାଚ୍‌ରେ ଚୀନା ତାଇପେଇ ବିପକ୍ଷରେ ୬-୨ (୫୬-୫୨, ୫୪-୫୧, ୫୪-୫୫, ୫୫-୫୪)ର ବିଜୟ ହାସଲ କରିଥିଲା।

ସେମିରେ ଭାରତୀୟ ଟିମ୍ ଟାଇଟଲ୍‌ର ପ୍ରବଳ ଦାବିଦାର ଘରୋଇ କୋରିଆ ଟିମ୍‌ଠାରୁ ୨-୬ରେ ପରାସ୍ତ ହୋଇ ବ୍ରୋଞ୍ଜ୍ ପଦକ ମୁକାବିଲା ଖେଳିଥିଲା। ଏହା ପୂର୍ବରୁ ତରୁଣଦୀପ ରାୟ-ଜୟନ୍ତ ତାଲୁକଦାର ଯୋଡ଼ି ସହ ପଦାର୍ପଣକାରୀ ନୀରଜ ଚୌହାନ୍‌ଙ୍କ ଟିମ୍ ପଞ୍ଚଦଶ ସିଡ୍ ଫ୍ରାନ୍ସଠାରୁ ୨-୬ରେ ପରାସ୍ତ ହୋଇଥିଲା।