ସିଙ୍ଗାପୁର,ଏଜେନ୍ସି: ଚଳିତ ସିଙ୍ଗାପୁର ଓପନ୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି ଭାରତର ପ୍ରମୁଖ ମହିଳା ଶଟଲର୍ ପିଭି ସିନ୍ଧୁ । କିନ୍ତୁ ଅନ୍ୟତମ ମହିଳା ସିଙ୍ଗଲ୍ସ ଖେଳାଳି ସାଇନା ନେହ୍ୱାଲ୍ ଓ ପୁରୁଷ ଖେଳାଳି ଏଚ୍ଏସ୍ ପ୍ରଣୟଙ୍କୁ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟାୟରୁ ବିଦାୟ ନେବାକୁ ପଡ଼ିଛି । ତୃତୀୟ ସିଡ୍ ସିନ୍ଧୁ ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଚୀନ୍ର ହାନ୍ ୟୁଏଙ୍କ ବିପକ୍ଷରେ ୧୭-୨୧,୨୧-୧୧,୨୧-୧୯ରେ ବିଜୟ ହାସଲ କରିଛନ୍ତି । ୬୨ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ରେ ବିଜୟୀ ହୋଇ ଗତ ମେ’ରେ ଖେଳାଯାଇଥିବା ଥାଇଲାଣ୍ଡ୍ ଓପନ୍ ପରେ ସିନ୍ଧୁ ପ୍ରଥମ ଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟ୍ ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଛନ୍ତି ।
ସେମିଫାଇନାଲ୍ରେ ସିନ୍ଧୁଙ୍କ ମୁକାବିଲା ଅଣସିଡେଡ୍ ଜାପାନୀ ଖେଳାଳି ସାଏନା କାୱାକାମିଙ୍କ ସହ ହେବ । ଅନ୍ତର୍ଜାତୀୟ ର୍ୟାଙ୍କିଙ୍ଗରେ ୩୮ତମ ସ୍ଥାନରେ ଥିବା କାୱାକାମି କ୍ୱାର୍ଟର୍ ଫାଇନାଲ୍ ମୁକାବିଲାରେ ଷଷ୍ଠ ସିଡ୍ ଥାଇଲାଣ୍ଡ୍ର ପୋର୍ନପାୱି ଚୋଚୁୱଙ୍ଗ୍ଙ୍କୁ ୨୧-୧୭,୨୧-୧୯ରେ ପରାସ୍ତ କରି ପ୍ରତିଯୋଗିତାରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବା ସହ ସେମିଫାଇନାଲ୍ରେ ପହଞ୍ଚିଛନ୍ତି । କାୱାକାମିଙ୍କ ବିପକ୍ଷରେ ସିନ୍ଧୁଙ୍କ ରେକର୍ଡ ୨-୦ ରହିଥିବାରୁ ସେ ଫାଇନାଲ୍ରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅନ୍ୟପକ୍ଷରେ ଶୁକ୍ରବାରର ବିଜୟ ପରେ ୟୁଏଙ୍କ ବିପକ୍ଷରେ ସିନ୍ଧୁ ତୃତୀୟ ବିଜୟ ହାସଲ କରିବା ସହ ଅପରାଜେୟ ରହିଛନ୍ତି । ତେବେ ବିଶ୍ୱର ୯ ନମ୍ବର ଖେଳାଳି ଚାଇନାର ହେ ବିଙ୍ଗ୍ ଜିଆଓଙ୍କୁ ହରାଇ ଲୟକୁ ଫେରିବାର ସଙ୍କେତ ଦେଇଥିବା ସାଇନା କ୍ୱାର୍ଟର୍ରେ ଫେଲ୍ ମାରିଛନ୍ତି । ସେ ଶୁକ୍ରବାର ତାଙ୍କ କ୍ୱାର୍ଟର୍ ମୁକାବିଲାରେ ଜାପାନର ଆୟା ଓହୋରିଙ୍କଠାରୁ ୧୩-୨୧,୨୧-୧୫,୨୦-୨୧ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଉକ୍ତ ମ୍ୟାଚ୍ରେ ୩୨ ବର୍ଷୀୟା ସାଇନା ଦୁଇ ଦୁଇ ଥର ମ୍ୟାଚ୍ ପଏଣ୍ଟ୍ ହରାଇବା ଫଳରେ ତାଙ୍କ ଜାପାନୀ ପ୍ରତିଦ୍ୱନ୍ଦ୍ୱୀ ସେମିଫାଇନାଲ୍ରେ ପହଞ୍ଚିଥିଲେ । ସେହିପରି ପ୍ରଣୟ ମଧ୍ୟ ସଂଘର୍ଷପୂର୍ଣ୍ଣ ମୁକାବିଲା ସତ୍ତ୍ୱେ ଆଗକୁ ଆଗେଇବାରେ ବିଫଳ ହୋଇଛନ୍ତି । ସେ ଅନ୍ୟ ଜଣେ ଜାପାନୀ ଖେଳାଳି କୋଡାଇ ନାରାଓକାଙ୍କଠାରୁ ୨୧-୧୨,୧୪-୨୧,୧୮-୨୧ରେ ପରାସ୍ତ ହୋଇଛନ୍ତି ।
ପ୍ରଥମ ଗେମ୍ରେ ବିଜୟୀ ହୋଇଥିଲେ ମଧ୍ୟ ପ୍ରଣୟ ଦ୍ୱିତୀୟ ଗେମ୍ରେ ସମାନ ଲୟ ବଜାୟ ରଖିବାରେ ବିଫଳ ହୋଇଥିଲେ । ନିର୍ଣ୍ଣାୟକ ଗେମ୍ରେ ସେ ୭-୧୮ରେ ପଛୁଆ ଥିଲେ ହେଁ କ୍ରମାଗତ ୮ ପଏଣ୍ଟ୍ ଅର୍ଜନ କରି ନାରାଓକାଙ୍କୁ କଡ଼ା ଟକ୍କର ଦେଇଥିଲେ । ତେବେ ୬୩ ମିନିଟ୍ ଅବଧି ବିଶିଷ୍ଟ ଏହି ମ୍ୟାଚ୍ରେ ଶେଷରେ ପ୍ରଣୟଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା । ଏହାଛଡ଼ା ପୁରୁଷ ଡବଲ୍ସରେ ଏମ୍ଆର୍ ଅର୍ଜୁନ-ଧ୍ରୁବ କପିଲା ଯୋଡ଼ି ଇଣ୍ଡୋନେସିଆର ଦ୍ୱିତୀୟ ସିଡ୍ ମହମ୍ମଦ ଏହସାନ୍-ହେଣ୍ଡ୍ରା ସେଟିଆୱାନ୍ ଯୋଡ଼ିଠାରୁ ୨୧-୧୦,୧୮-୨୧,୧୭-୨୧ରେ ପରାସ୍ତ ହୋଇ ବିଦାୟ ନେଇଛି ।