ଥାଇଲାଣ୍ଡ୍ ଓପନ୍‌: ନଂ.୧ ୟାମାଗୁଚିଙ୍କୁ ହରାଇ ସେମିରେ ସିନ୍ଧୁ

ବ୍ୟାଙ୍କକ୍‌,ଏଜେନ୍ସି: ବିଶ୍ୱର ଏକ ନମ୍ବର ଖେଳାଳି ଜାପାନର ଆକେନ୍ ୟାମାଗୁଚିଙ୍କୁ ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ୍‌ରେ ପରାସ୍ତ କରି ଭାରତର ତାରକା ମହିଳା ଶଟଲର୍ ପିଭି ସିନ୍ଧୁ ଚଳିତ ଥାଇଲାଣ୍ଡ୍ ଓପନ୍ ଟୁର୍ଣ୍ଣାମେଣ୍ଟ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଏହି ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍‌ରେ ୫୧ ମିନିଟ୍ ଧରି ଚାଲିଥିବା କ୍ୱାର୍ଟର୍ ମୁକାବିଲାଟିକୁ ସିନ୍ଧୁ ୨୧-୧୫, ୨୦-୨୨, ୨୧-୧୩ରେ ଜିତିନେଇଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ଏସିଆନ୍ ବ୍ୟାଡ୍‌ମିଣ୍ଟନ୍ ଚାମ୍ପିଅନ୍‌ଶିପ୍‌ରେ ସିନ୍ଧୁଙ୍କ ବିପକ୍ଷରେ ୟାମାଗୁଚି ବିଜୟୀ ହୋଇଥିବା ବେଳେ ଶୁକ୍ରବାର ସିନ୍ଧୁ ଏହି ପରାଜୟର ପ୍ରତିଶୋଧ ନେଇପାରିଛନ୍ତି ।

ସେମିଫାଇନାଲ୍‌ରେ ସିନ୍ଧୁ ଅଲିମ୍ପିକ୍ ଚାମ୍ପିଅନ୍ ଚୀନ୍‌ର ଚେନ୍ ୟୁ ଫେଇଙ୍କୁ ଭେଟିବେ । ୟୁ ଫେଇଙ୍କ ବିପକ୍ଷରେ ସିନ୍ଧୁ ଅଦ୍ୟାବଧି ୧୦ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ୬ଟିରେ ବିଜୟୀ ହୋଇଛନ୍ତି । ଚଳିତ ବର୍ଷ ଥାଇଲାଣ୍ଡ୍ ଓପନ୍ ସେମିରେ ପ୍ରବେଶ କରିବାରେ ସିନ୍ଧୁ ହେଉଛନ୍ତି ଏକମାତ୍ର ଭାରତୀୟ । ଗୁରୁବାର ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଅଷ୍ଟମ ସିଡେଡ୍ ଭାରତୀୟ ପୁରୁଷ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ ତାଙ୍କ ଆଇରିଶ୍ ପ୍ରତିଦ୍ୱନ୍ଦ୍ୱୀ ଏନ୍‌ହାଟ୍ ଏନ୍‌ଗୁୟେନ୍‌ଙ୍କ ବିପକ୍ଷ ମୁକାବିଲାରୁ ଓହରିଯାଇ ପ୍ରତିଯୋଗିତାରୁ ବିଦାୟ ନେଇଥିଲେ ।