ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି୨୦: ଜୁନ୍ ୧ରୁ ମିଳିବ ଅନ୍‌ଲାଇନ୍‌ ଟିକଟ

କଟକ,ଏନ୍ଏନ୍ଏସ୍: ବାରବାଟୀକୁ ପୂର୍ଣ୍ଣ ଦର୍ଶକଙ୍କୁ ବିସିସିଆଇ ଅନୁମତି ଦେବା ପରେ ଆଜି ରାଜ୍ୟ ସରକାର ମଧ୍ୟ ଦେଇଛନ୍ତି ଗ୍ରୀନ ସିଗନାଲ। ମ୍ୟାଚ ପରିଚାଳନା ନେଇ ଙଉଇ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ପରେ ଅନଲାଇନ ଟିକେଟ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁନ୍ ୧ ତାରିଖରୁ ଅନଲାଇନ ଟିକେଟ ଉପଲବ୍ଧ ହେବ

ଜୁନ ୧୨ ରେ ବାରବାଟୀରେ ଅନୁଷ୍ଠିତ ହେବ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚ। ଏହାର ସୁପରିଚାଳନା ନେଇ ଆଜି(ଶୁକ୍ରବାର) ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି ଉଚ୍ଚସ୍ତରୀୟ ବୈଠକ। ମ୍ୟାଚ୍‌ ପାଇଁ ଜୁନ୍ ୧ ରୁ ଅନ୍‌ଲାଇନ ଟିକେଟ ମିଳିବା ନେଇ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଚଳିତ ଥର ଟିକେଟ ଦର ମଧ୍ୟ ବୃଦ୍ଧି ପାଇଥିବା ଘୋଷଣା ହୋଇଛି। ପୂର୍ବ ଅପେକ୍ଷା ୧୮ ପ୍ରତିଶତ ଜିଏସ୍‌ଟି ଆଧାରରେ ଟିକେଟ ଦର ବଢିଥିବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା ।

ଗ୍ୟାଲେରୀ ୧,୨,୩ ପାଇଁ ୯୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ ପାଇଁ ୭୦୦ ଟଙ୍କା, ଗ୍ୟାଲେରୀ ୭ ପାଇଁ ୬୦୦ ଟଙ୍କା , ଗ୍ୟାଲେରୀ ୬ ନମ୍ବର( ଖେଳାଳୀ ରିହାତି) ୩୦୦ ଟଙ୍କା, ସ୍ପେଶାଲ ଏନକ୍ଲୋଜର-୫୦୦୦, ଏସି ବକ୍ସ-୭୦୦୦, ନ୍ୟୁ ପାଭିଲିୟନ-୮୦୦୦, କର୍ପୋରେଟ ବକ୍ସ -୧୨୦୦୦ ଏହିପରି ବୃଦ୍ଧି ପାଇଛି।

ସେହିପରି ୯ ଓ ୧୦ ତାରିଖରୁ ଅଫ ଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ପେ-ଟିମ ଜରିଆରେ ଅନଲାଇନ ଟିକେଟ ବୁକିଂ ହେବ ଏବଂ ଅଫ ଲାଇନ ଟିକେଟ ବିକ୍ରି ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କକୁ ଅନୁମତି ଦେଇଛି ଓସିଏ। ଅଫଲାଇନ ଟିକେଟ ବିକ୍ରି ବ୍ୟବସ୍ଥାକୁ ବିକେନ୍ଦ୍ରିତ କରିଛି ଓସିଏ । କଟକରେ ଓ ଭୁବନେଶ୍ବରରେ ଦୁଇଟି ଲେଖାଏଁ ଟିକେଟ କାଉଣ୍ଟର ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

ସେପଟେ ପୂର୍ବ ମ୍ୟାଚଗୁଡିକ ଭଳି ଏହି ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ ଏବଂ ବାଲିଯାତ୍ରା ପଡିଆରେ ସର୍ବ ସାଧାରଣଙ୍କ ପାଇଁ ଗାଡି ପାର୍କିଂର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।