କୋରିଆ ଓପନ୍‌: କ୍ୱାର୍ଟର୍‌ରେ ସିନ୍ଧୁ ଓ ଶ୍ରୀକାନ୍ତ, ଲକ୍ଷ୍ୟ ବିଦା

ସୁନ୍‌ଚେଓନ୍‌,ଏଜେନ୍ସି: ଭାରତର ଶୀର୍ଷ ଶଟ୍‌ଲର୍ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଗୁରୁବାର କୋରିଆ ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତେବେ ଯୁବ ଖେଳାଳି ଲକ୍ଷ୍ୟ ସେନା ଓ ମାଳବିକା ବନ୍‌ସୋଡ୍ ନିଜ ନିଜର ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛି । ଦୁଇଥରର ଅଲିମ୍ପିକ୍ ପଦ ବିଜୟିନୀ ବିଶ୍ୱର ନଂ୭ ସିନ୍ଧୁ ଏକତରଫା ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟର୍ ଫାଇନାଲ୍‌ରେ ଜାପାନର ଆୟା ଓହୋରୀଙ୍କୁ ୨୧-୧୫, ୨୧-୧୦ ସିଧା ଗେମ୍‌ରେ ହରାଇ ଦେଇଛନ୍ତି ।

ବିଶ୍ୱର ୨୬ ନଂ. ଖେଳାଳି ଓହୋରୀଙ୍କ ବିପକ୍ଷରେ ସିନ୍ଧୁ ବର୍ତ୍ତମାନ ସୁଦ୍ଧା ଖେଳିଥିବା ସମସ୍ତ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି । ତୃତୀୟ ସିଡ୍ ସିନ୍ଧୁ ଗତମାସର ସ୍ୱିସ୍ ଓପନ୍ ଫାଇନାଲ୍‌ରେ ହରାଇଥିବା ଥାଇଲାଣ୍ଡର ବୁସାନାନ୍ ଓଙ୍ଗବମ୍‌ରୁଙ୍ଗ୍‌ଫାନ୍‌ଙ୍କୁ ପରବର୍ତ୍ତୀ ମ୍ୟାଚ୍‌ରେ ଭେଟିବେ । ଚଳିତ ସିଜନ୍‌ରେ ସୟଦ୍ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍ ଓ ସ୍ୱିସ୍ ଓପନ୍ ସୁପର୍ ୩୦୦ ଟାଇଟଲ୍ ଜିତିଥିବା ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ବର୍ତ୍ତମାନ ସୁଦ୍ଧା ଥାଇ ଖେଳାଳିଙ୍କ ବିପକ୍ଷରେ ୧୭ ମ୍ୟାଚ୍ ଖେଳିଥିବା ବେଳେ ୧୬ଟିରେ ବିଜୟୀ ହୋଇଛନ୍ତି ।

ବିଶ୍ୱ ଚାମ୍ପିଅନ୍‌ଶିପ୍ ରୌପ୍ୟ ପଦକ ବିଜେତା ଶ୍ରୀକାନ୍ତ ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଇସ୍ରାଏଲ୍‌ର ମିଶା ଜିଲ୍‌ବର୍‌ମ୍ୟାନ୍‌ଙ୍କୁ ୨୧-୧୮, ୨୧-୬ରେ ହରାଇ ଦେଇଛନ୍ତି । କ୍ୱାର୍ଟର୍ ଫାଇନାଲ୍‌ରେ ସେ ସ୍ଥାନୀୟ ଦାବିଦାର ତଥା ପୂର୍ବତନ ବିଶ୍ୱ ନଂ.୧ ସୋନ ବାନ୍ ହୋ’ଙ୍କୁ ଭେଟିବେ । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ସାତ୍ତ୍ୱିକ୍‌ସାଇରାଜ୍ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ବିଶ୍ୱର ୭ ନଂ ଯୋଡ଼ି ମଧ୍ୟ ଅନ୍ତିମ ଆଠରେ ସ୍ଥାନ ହାସଲ କରିଛନ୍ତି ।

ଭାରତୀୟ ଯୋଡ଼ି ୩୬ ମିନିଟ୍‌ର ମ୍ୟାଚ୍‌ରେ ସିଙ୍ଗାପୁରର ୟୋଙ୍ଗ୍ କେଇ ଟେରୀ ଓ ଲୋହ କିନ୍ ହିନ୍‌ଙ୍କୁ ଯୋଡ଼ିକୁ ୨୧-୧୫, ୨୧-୧୯ରେ ହରାଇ ଦେଇଛନ୍ତି । ତେବେ ଏମ୍‌ଆର୍ ଅର୍ଜୁନ ଓ ଧ୍ରୁବ କପିଳାଙ୍କ ଭାରତୀୟ ଯୋଡ଼ି ମହମ୍ମଦ ଅହସନ୍ ଓ ହେନ୍ଦ୍ରା ସାତିୟାୱାନ୍‌ଙ୍କ ବିପକ୍ଷ ପ୍ରଥମ ଗେମ୍‌ରେ ୫-୮ରେ ପଛୁଆ ରହିବା ପରେ ମ୍ୟାଚ୍‌ରୁ ଓହରି ଯାଇଛନ୍ତି । ବିଶ୍ୱ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ବିଜେତା ଲକ୍ଷ୍ୟ ସେନ୍‌ଙ୍କୁ ପୁରୁଷ ସିଙ୍ଗଲ୍ସରେ ନିଜଠାରୁ କମ୍ ର‌୍ୟାଙ୍କିଙ୍ଗ୍‌ର ଇଣ୍ଡୋନେସିଆ ଖେଳାଳି ଶେସାର୍ ହିରେନ୍ ରୁଷ୍ଟାଭିତୋଙ୍କ ବିପକ୍ଷରେ ୨୦-୨୨, ୯-୨୧ରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି ।

ସେହିପରି ଦେଶର ଅନ୍ୟତମ ଉଦୀୟମାନ ଶଟଲର୍ ମାଳବିକା ବନ୍‌ସୋଡ୍ ମଧ୍ୟ ଆଗକୁ ବଢ଼ିବାରେ ବିଫଳ ହୋଇଛନ୍ତି । ଥାଇଲାଣ୍ଡର ପୋର୍ନପାୱି ଚୋଚୁୱଙ୍ଗ୍ ମହିଳା ସିଙ୍ଗଲ୍ସର ଏକ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ତାଙ୍କୁ ମାତ୍ର ୩୯ ମିନିଟ୍ ମଧ୍ୟରେ ୨୧-୮, ୨୧-୧୪ରେ ହରାଇ ଦେଇଛନ୍ତି । ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ସୁମିତ୍ ରେଡ୍ଡୀ ଓ ଅଶ୍ୱିନୀ ପୋନ୍ନାପ୍ପାଙ୍କୁ ଯୋଡ଼ି ବାଦ୍ ପଡ଼ିଛି । ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ପଞ୍ଚମ ସିଡ୍ ଓଉ ସୁଆନ୍ ୟି ଓ ହୁଆଙ୍ଗ୍ ୟା କ୍ୱିଅଙ୍ଗ୍‌ଙ୍କ ଚୀନା ଯୋଡ଼ି ଠାରୁ ୨୦-୨୨, ୨୧-୧୮, ୧୪-୨୧ରେ ସେମାନେ ପରାସ୍ତ ହୋଇଛନ୍ତି ।