ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ଠାରେ ଶୁକ୍ରବାରଠାରୁ ଭାରତୀୟ ମହିଳା ଦଳ ନେଦରଲାଣ୍ଡ୍ସ ବିପକ୍ଷ ମୁକାବିଲା ଖେଳିବ । ଏହି ଦୁଇ ମ୍ୟାଚ୍ ବିଶିଷ୍ଟ ଟାଇର ପ୍ରଥମ ମ୍ୟାଚ୍ଟି ଶୁକ୍ରବାର ସ୍ଥାନୀୟ ସମୟ ସନ୍ଧ୍ୟା ସାଢ଼େ ୭ଟା ବେଳେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ଟି ଶନିବାର ଅପରାହ୍ଣ ସାଢ଼େ ୩ଟା ବେଳେ ଖେଳାଯିବ । ବିଶ୍ୱର ଏକ ନମ୍ବର ଟିମ୍କୁ ଚାଲେଞ୍ଜ୍ ଦେବା ସକାଶେ ଘରୋଇ ଦଳର ଖେଳାଳିମାନେ ସମ୍ପୂର୍ଣ୍ଣ ଭାବେ ନିଜକୁ ପ୍ରସ୍ତୁତ କରିସାରିଛନ୍ତି ।
ଏହି ଡବଲ୍ ହେଡର୍ ମୁକାବିଲାରେ ଅଲିମ୍ପିକ୍ ଚାମ୍ପିଅନ୍ ଟିମ୍କୁ ଭେଟିବା ସକାଶେ ଖେଳାଳିମାନେ ବେଶ୍ ଉତ୍ସାହିତ ଅଛନ୍ତି ବୋଲି ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଦଳର ଅଧିନାୟିକା ତଥା ଭେଟେରାନ୍ ଗୋଲକିପର୍ ସବିତା । ସେ କହିଛନ୍ତି, ଯଦିଓ ନେଦରଲାଣ୍ଡ୍ସ ଟିମ୍ ଅଭିଜ୍ଞ ଖେଳାଳିଙ୍କ ବିନା ଏଠାକୁ ଆସିଛି, ତଥାପି ଏହି ମୁକାବିଲା ଦୁଇଟିରେ ରୋମାଞ୍ଚ ଆଦୌ କମ୍ ହେବ ନାହିଁ । କାରଣ ଭ୍ରମଣକାରୀ ଟିମ୍ରେ ଅଭିଜ୍ଞ ଖେଳାଳି ନ ଥିଲେ ବି ଏହା ସେମାନଙ୍କ ଖେଳିବା ଶୈଳୀକୁ ଆଦୌ ବଦଳାଇ ଦେବ ନାହିଁ । ଅର୍ଥାତ୍ ଯୁବ ଖେଳାଳିଙ୍କ ସହ ନେଦରଲାଣ୍ଡ୍ସ ଏଠାକୁ ଆସିଥିଲେ ମଧ୍ୟ ଭାରତକୁ ସେମାନେ କୌଣସି ପ୍ରକାରେ ହାଲକା ଭାବେ ନେବେ ନାହିଁ ।
ଏହି ମୁକାବିଲା ମାଧ୍ୟମରେ ସେମାନଙ୍କ ଯୁବ ଖେଳାଳିଙ୍କୁ ଅଧିକରୁ ଅଧିକ ଅଭ୍ୟାସ ଦେବା ସକାଶେ ଦଳ ଉଦ୍ୟମ କରିବ । ତେଣୁ ଯୁବ ଖେଳାଳିମାନେ ନିଶ୍ଚିତ ଭାବେ ସେମାନଙ୍କ ଦକ୍ଷତା ମୁତାବକ ପ୍ରଦର୍ଶନ କରିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଆମେ ମଧ୍ୟ ସେମାନଙ୍କୁ କଡ଼ା ଟକ୍କ୍ର ଦେବୁ । ଦଳର ଖେଳାଳିମାନେ କିପରି ପଡ଼ିଆରେ ନିଜର ଶତପ୍ରତିଶତ ପ୍ରଦର୍ଶନ ଦେଇପାରିବେ, ତାହା ଉପରେ ସେମାନେ ଫୋକସ୍ କରିବେ ବୋଲି ସବିତା କହିଛନ୍ତି । ନେଦରଲାଣ୍ଡ୍ସକୁ ଶେଷ ଥର ପାଇଁ ଭାରତ ଗତବର୍ଷର ଟୋକିଓ ଅଲିମ୍ପିକ୍ସରେ ଭେଟିଥିଲା । ଉକ୍ତ ଲିଗ୍ ମ୍ୟାଚ୍ରେ ଭାରତ ୧-୫ରେ ଶୋଚନୀୟ ପରାଜୟ ବରଣ କରିଥିଲା ।
ପରବର୍ତ୍ତୀ ସମୟରେ ନେଦରଲାଣ୍ଡ୍ସ ଉକ୍ତ ସଂସ୍କରଣରେ ଚାମ୍ପିଅନ୍ ହୋଇଥିଲା । ତେବେ ନେଦରଲାଣ୍ଡ୍ସକୁ ଘରୋଇ ମାଟିରେ ଭେଟିବାର ମଜା ନିଶ୍ଚିତ ଭାବେ ଖେଳାଳିମାନେ ଉଠାଇବେ ବୋଲି ସବିତା ଆଶା ପ୍ରକାଶ କରିଛନ୍ତି । ସେହିପରି ଦଳର ଉପକଅଧିନାୟିକା ତଥା ସ୍ଥାନୀୟ ଖେଳାଳି ଦୀପଗ୍ରେସ୍ ଏକ୍କା କହିଛନ୍ତି ଯେ ବିଶ୍ୱର ଏକ ନମ୍ବର ଦଳକୁ ଚାଲେଞ୍ଜ୍ ଦେବା ସକାଶେ ଦଳର ଖେଳାଳିମାନେ ଏଠାରେ ଭରପୂର ଅଭ୍ୟାସ କରିବ । ବିଶେଷକରି ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ଯଥେଷ୍ଟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିଲେ ମଧ୍ୟ ଖେଳାଳିମାନେ ଏହାକୁ ଖାତିର୍ ନ କରି କଡ଼ା ଅଭ୍ୟାସ କରିଛନ୍ତି । ତେଣୁ ଉଭୟ ମ୍ୟାଚ୍ରେ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ଏକ୍କା ଆଶାବାଦୀ ଅଛନ୍ତି ।
ଅନ୍ୟପକ୍ଷରେ ମ୍ୟାଚ୍ ସମ୍ପର୍କରେ ନେଦରଲାଣ୍ଡ୍ସ ଅନ୍ତରୀଣ କୋଚ୍ ଜୁଷ୍ଟ୍ ବିଟରଲିଙ୍ଗ୍ କହିଛନ୍ତି ଯେ ଏଠାକାର ବିଶ୍ୱସ୍ତରୀୟ ଷ୍ଟାଡିୟମ୍ରେ ଦଳର ଯୁବ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିଥିବାରୁ ସେମାନେ ବେଶ୍ ଉତ୍ସାହିତ ଅଛନ୍ତି । ଅବଶ୍ୟ କୋଚ୍ ଭାବେ ମୁଁ ଚାପରେ ରହିଛି । କିନ୍ତୁ ଚାପ ସହ ମୁଁ ଉତ୍ସାହିତ ମଧ୍ୟ ଅଛି । ଭାରତ ଏକ ଦକ୍ଷତାସମ୍ପନ୍ନ ଦଳ । କୋଚ୍ ମଧ୍ୟ ବେଶ୍ ସ୍ଥିରଚିତ୍ତ ସମ୍ପନ୍ନା । ତେଣୁ ଭାରତ ପରି ଏକ ପ୍ରତିଭାବାନ ଦଳ ସହ ଖେଳିବାର ସୁଯୋଗ ମିଳିଥିବାରୁ ଖେଳାଳିମାନେ ନିଶ୍ଚିତ ଭାବେ ଏହାର ଫାଇଦା ନେବାକୁ ଉଦ୍ୟମ କରିବେ ବୋଲି ବିଟରଲିଙ୍ଗ୍ ଆଶା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଅଦ୍ୟାବଧି ଭାରତ ପଏଣ୍ଟ୍ ଟେବଲ୍ରେ ୧୨ ପଏଣ୍ଟ୍ ସହ ଚତୁର୍ଥ ସ୍ଥାନରେ ରହିଛି । ଶେଷ ମ୍ୟାଚ୍ରେ ଦଳ ଏଠାରେ ଜର୍ମାନୀକୁ ପେନାଲ୍ଟି ଶୁଟ୍ଆଉଟ୍ ମାଧ୍ୟମରେ ପରାସ୍ତ କରିଥିଲା । ଅନ୍ୟପକ୍ଷରେ ନେଦରଲାଣ୍ଡ୍ସ ୧୭ ପଏଣ୍ଟ୍ ପାଇ ଟେବଲ୍ ଶୀର୍ଷରେ ରହିଛି । ଶେଷ ମ୍ୟାଚ୍ରେ ଦଳ ଆମେରିକାକୁ ୧୦-୦ ଗୋଲ୍ରେ ପରାସ୍ତ କରିଛି ।