ଦେଓଗାଁ,ଏନ୍ଏନ୍ଏସ୍: ଦେଓଗାଁ ବ୍ଳକ୍ ବଡ଼ବନ୍ଧ ପଞ୍ଚାୟତ କରୁଆଁଝର ଗାଁର ଆଜାଦ କ୍ରିକେଟ କ୍ଲବର ରଜତ ଜୟନ୍ତୀର ଉଦ୍ଘାଟନୀ ଉତ୍ସବ ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଖେଳ ପଡ଼ିଆରେ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଶନିବାର ରାତି ୮ଟା ସମୟରେ ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରବକ୍ତା ସମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଜିଲ୍ଲା ବିଜେଡିର ଯୁବ ସଭାପତି ରାଜେନ୍ଦ୍ର ହୋତା ବଲାଙ୍ଗିର ଲୋକସଭା ସାଂସଦଙ୍କ ଦେଓଗାଁ ବ୍ଳକ୍ ପ୍ରତିନିଧି ଅମିତ ସିଂନିନା, ବଡ଼ବନ୍ଧ ସରପଞ୍ଚ ଧୁବଲେ ରାଉତ, ସମିତି ସଭ୍ୟ ଅମରସିଂ ଭୋଇ ଓ ଶ୍ରୀରାମଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲୋକେଶ୍ୱର ପଧାନ, କୁରୁଆଝର ଗ୍ରାମ୍ୟ କମିଟି ସଭାପତି ସୁଶାନ୍ତ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦର ଦାଶ, ରାଜ ପ୍ରତାପ ସିଂଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଗ୍ରାମଞ୍ଚଳରେ ଭିତ୍ତିଭୂମିର ଅଭାବ ଥିବାରୁ ଅନେକ ପ୍ରତିଭା ଲୁଚି ଯାଉଛି। ଏହାର ବିକାଶ ହେଲେ ଅନେକ ବଣ ମଲ୍ଲି ସାମ୍ନାକୁ ଆସିବେ ବୋଲି ପିସିସି ପ୍ରବକ୍ତା କହିବା ପରେ ମଞ୍ଚ ଉପରେ ଉପସ୍ଥିତ ଥିବା ବିଜେଡ଼ି ଓ ବିଜେପି ନେତା ମାନେ ପୂର୍ବ ସାଂସଦ ଓ ବିଧାୟକ ଖେଳ ପଡିଆର ବିକାଶ ପାଇଁ କେତେ ଅନୁଦାନ ଦେଇଛନ୍ତି ତାର ହିସାବ ଦେଇଥିଲେ। ଏହାକୁ ନେଇ ସାଂସ୍କୃତିକ କ୍ରୀଡ଼ା ମଞ୍ଚ ରାଜନୀତିର ମଞ୍ଚ ହେଲା ବୋଲି ଉପସ୍ଥିତ ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ମହୋତ୍ସବର ସଭାପତି ଅନ୍ତର୍ଯ୍ୟାମୀ ଭୋଇ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ବେଳେ ସମ୍ପାଦକ ପ୍ରଦୀପ ପଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ।
କଳାକାର ଅବନୀ ପଧାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଟିଟିଲାଗଡ଼ ଢ଼ାପ ଓ ତୁଷୁରାର କୃଷ୍ଣ ପ୍ରିୟା କଳାପରିଷଦ ଦ୍ୱାରା କଳା ପରିବେଷଣ କରାଯାଇଥିଲା। ସକାଳେ ରାଜ ପ୍ରତାପ ସିଂଙ୍କ ଦ୍ୱାରା ମଶାଲ ଶୋଭାଯାତ୍ରା ବାହରିଥିଲା। ପରେ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରି ରଜତ ଜୟନ୍ତୀର ଶୁଭାରମ୍ଭ କରିଥିଲେ। ସକାଳ ୧୦ଟା ସମୟରୁ ୬ଟି କ୍ରିକେଟ ଦଳ ଯଥା କରୁଆଁଝର(କ) ଓ (ଖ), ବାଞ୍ଜିବାହାଲୀ, ଡଙ୍ଗରପଡ଼ା, ବଡ଼ବନ୍ଧ ଓ ମୁରସିଂ ଦଳ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।