ଦେବଗଡ଼/ରିଆମାଳ ,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ମିଲର୍ସ ନ ଉଠାଇବାରୁ ଧାନ ପଡ଼ିରହିଛି। ଦେବଗଡ଼ ଜିଲ୍ଲାରେ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ନଥିବାରୁ ବିଭିନ୍ନ ସେବା ସମବାୟ ସମିତି ଗୁଡିକର ଚାଷୀଙ୍କ ଧାନ ପଡ଼ିରହିଛି। ଏହି ମଧ୍ୟରେ କେତେକ ଚାଷୀଙ୍କ ଟୋକନର ଅବଧି ମଧ୍ୟ ଶେଷ ହୋଇଯାଇଛି। ଏନେଇ ବିଭିନ୍ନ ସେବା ସମବାୟ ସମିତିରେ ପଞ୍ଜିକୃତ ଚାଷୀମାନେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ ବିଭିନ୍ନ ସ୍ଥାନରେ ଚାଷୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି।
ଏହି କ୍ରମରେ ଆଜି ସକାଳୁ ରିଆମାଳ ବ୍ଲକ୍ ଅନ୍ତର୍ଗତ ନାଉଲିପଡା ସେବା ସମିତିରେ ପଞ୍ଜିକୃତ ଶତାଧିକ ଚାଷୀ ସେମାନଙ୍କ ଧାନ ବିକ୍ରି ହେଉନଥିବା ପ୍ରତିବାଦରେ ରାଜରାସ୍ତା ଅବରୋଧ କରିଛନ୍ତି। ଦେବଗଡ଼-ଅନୁଗୁଳ ୫୩ ନଂ ଜାତୀୟ ରାଜପଥକୁ ଧାନବସ୍ତା ରଖି ଅବରୋଧ କରି ଅନିର୍ଦ୍ଦିଷ୍ଟ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଉକ୍ତ ସେବା ସମବାୟ ସମିତିରେ ବର୍ତ୍ତମାନ ସୁଦ୍ଧା ୧୭ ହଜାର ୫ ଶହ କୁଇଣ୍ଟାଲ ଧାନ ବିକ୍ରି ପାଇଁ ବାକି ରହିଥିବା ବେଳେ ଜାନୁଆରୀ ମାସରେ ୩୪ ଜଣ ଚାଷୀଙ୍କ ଟୋକନ ଅବଧି ସମାପ୍ତ ହୋଇଯାଇଛି।
ସେହିପରି ଜାନୁଆରୀ ୩୦ ତାରିଖ ଦିନ ପ୍ରଦାନ କରାଯାଇଥିବା ୭୬ ଜଣ ଚାଷୀଙ୍କ ଟୋକନ ଅବଧି ଆଜି ଶେଷ ହେବାକୁ ଯାଉଛି। ଏ ସମ୍ପର୍କରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ଚାଷୀ ହୃଷୀକେଶ ପ୍ରଧାନଙ୍କୁ ଆନ୍ଦୋଳନର ଉଦ୍ଦେଶ୍ୟ ସମ୍ପର୍କରେ ମତାମତ ନେବାରୁ ଉକ୍ତ ସେବା ସମବାୟ ସମିତିରୁ ଗତ ଜାନୁୟାରୀ ୨୬ ତାରିଖରୁ ମିଲର୍ସ ଧାନ କ୍ରୟ କରୁ ନାହାନ୍ତି। ଗତ ଜାନୁଆରୀ ୨୬, ୩୦ ଓ ୩୧ ତାରିଖର ଟୋକନ ଗୁଡ଼ିକର ଅବଧି ସରିଯାଇଛି। ଏହାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସମାଧାନ ଜିଲ୍ଲା ପ୍ରଶାସନ କରୁନଥିବାର ପ୍ରତିବାଦରେ ଏହି ଧାରଣା ଦିଆଯାଇଥିବା କହିଛନ୍ତି।