ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଶ୍ରୁବସୋଲ୍‌ଙ୍କ ସନ୍ନ୍ୟାସ

ଲଣ୍ଡନ,ଏଜେନ୍ସି: ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଭେଟେରାନ୍ ସିମର୍ ଆନ୍ୟା ଶ୍ରୁବ୍‌ସୋଲ୍ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଶ୍ରୁବ୍‌ସୋଲ୍ ଇଂଲଣ୍ଡ ପକ୍ଷରୁ ସମସ୍ତ ତିନିଟିଯାକ ଫର୍ମାଟ୍‌ରେ ୧୭୩ଟି ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ବେଳେ ୨୨୭ ୱିକେଟ୍ ହାସଲ କରିଛନ୍ତି । ତେବେ ୩୦ ବର୍ଷୀୟା ଫାଷ୍ଟ୍ ବୋଲର୍ ଘରୋଇ କ୍ରିକେଟ୍‌ର ରାଚେଲ୍ ହେହୋଏ ଫ୍ଲିଣ୍ଟ୍ ଟ୍ରଫି, ଚାର୍ଲଟ୍ ଏଡ୍‌ୱାର୍ଡ୍ସ କପ୍ ଏବଂ ଦ ହଣ୍ଡ୍ରେଡ୍‌ରେ ଖେଳ ଜାରି ରଖିବେ ।

ଦୁଇ ଥର (୨୦୦୯, ୨୦୧୭)ର ବିଶ୍ୱକପ୍ ଚାମ୍ପିଅନ୍ ଶ୍ରୁବ୍‌ସୋଲ୍ ୨୦୧୭ରେ ଇଂଲଣ୍ଡର ଟାଇଟଲ୍ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଲର୍ଡ୍ସରେ ଖେଳାଯାଇଥିବା ଫାଇନାଲ୍‌ରେ ୪୬ ରନ୍‌ରେ ୬ ୱିକେଟ୍ ନେଇ ସେ ଏକାକୀ ଭାରତୀୟ ଇନିଂସ୍‌କୁ ଛିନ୍‌ଛତ୍ର କରିଦେଇଥିଲେ । ଏହି ମ୍ୟାଚ୍‌ରେ ଭାରତ ୯ ରନ୍‌ରେ ପରାସ୍ତ ହୋଇଥିଲା । ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ର ସାତଟି ମ୍ୟାଚ୍‌ରେ ସେ ମୋଟ ଆଠ ୱିକେଟ୍ ହାସଲ କରିଥିଲେ । ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ତାଙ୍କ ଟିମ୍ ପରାଜିତ ହୋଇଥିଲା ।

୮୬ ମ୍ୟାଚ୍‌ରେ ୧୦୬ଟି ୱିକେଟ୍ ନେଇ ଶ୍ରୁବ୍‌ସୋଲ୍ ଦିନିକିଆ କ୍ରିକେଟ୍‌ରେ ଇଂଲଣ୍ଡର ଚତୁର୍ଥ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଛନ୍ତି । ସେହିପରି ୭୯ ଟି-୨୦ ମ୍ୟାଚ୍‌ରେ ତାଙ୍କ ନାମରେ ୧୦୨ ୱିକେଟ୍ ରହିଥିବା ବେଳେ ଏହି ଫର୍ମାଟ୍‌ରେ ଦେଶର ସର୍ବାଧିକ ୱିକେଟ୍ ହାସଲକାରୀ ମହିଳା ବୋଲର୍‌ର ସମ୍ମାନ ହାସଲ କରିଛନ୍ତି । ସନ୍ନ୍ୟାସ ନିଷ୍ପତ୍ତି ସମ୍ପର୍କରେ ମନ୍ତବ୍ୟ ଦେଇ ସେ କହିଛନ୍ତି, ‘ଇଂଲଣ୍ଡ ପକ୍ଷରୁ ଗତ ୧୪ ବର୍ଷ ଧରି ପ୍ରତିନିଧିତ୍ୱ କରି ନିଜକୁ ବିଶେଷ ଭାବେ ଗୌରବାନ୍ୱିତ ।

ମହିଳା କ୍ରିକେଟ୍‌ର ଦ୍ରୁତ ବିକାଶ ଘଟୁଥିବା ବେଳେ ଏହାର ଏକ ଅଂଶ ହୋଇଥିବାରୁ ସମ୍ମାନିତ ଅନୁଭବ କରୁଛି । ତେବେ ଏହା ଯେତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେଥିରେ ନିଜକୁ ଖାପ ଖୁଆଇପାରିବି ନାହିଁ । ତେଣୁ ସନ୍ନ୍ୟାସ ନେବାକୁ ଏହା ଉପଯୁକ୍ତ ସମୟ ବୋଲି ନିଷ୍ପତ୍ତି ନେଇଛି ।’