ଜାତୀୟ ଶକ୍ତି ଉତ୍ତୋଳନରେ ଓଡ଼ିଶା ପ୍ରତିଯୋଗୀଙ୍କ ସଫଳତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗତ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ କେରଳର ଆଲେପୁଜାଠାରେ ଅନୁଷ୍ଠିତ ହୋଇଯାଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏହି ୫ଦିନିଆ ଇଭେଣ୍ଟ୍‌ରେ ଓଡ଼ିଶାର ପ୍ରତିଯୋଗୀମାନେ ଗୋଟିଏ ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ୍ ପଦକ ଏହିପରି ସର୍ବମୋଟ ୬ଟି ପଦକ ହାସଲ କରିଛନ୍ତି ।

ସିନିଅର୍ ପୁରୁଷ ବିଭାଗରେ ଓଡ଼ିଶା ପୁରୁଷ ଦଳ ରନର୍ସଅପ୍ ମଧ୍ୟ ହୋଇଛି । ମୟୂରଭଞ୍ଜର ଅଭିଷେକ ମହାନ୍ତ ମୋଟ ୫୮୨ କିଗ୍ରା ଓଜନ ଉଠାଇ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଓଡ଼ିଶା ପୁଲିସ୍‌ର ଅନୁପମା ସ୍ୱାଇଁ ମୋଟ ୩୨୨.୫ କିଗ୍ରା, ଅନୁଗୁଳର ରାକେଶ ଭୁକ୍ତା ୭୩୫ କିଗ୍ରା ଓ ତେଜାବ କୁମାର ସୁନା ୫୦୦ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ଜିତିଛନ୍ତି । ଏହାଛଡ଼ା ମୟୂରଭଞ୍ଜର ଧାନମତୀ ଟୁଡୁ ୨୫୨ କିଗ୍ରା ଓଜନ ଉଠାଇ ବ୍ରୋଞ୍ଜ୍ ପଦକ ପାଇଛନ୍ତି । ଉପରୋକ୍ତ ସମସ୍ତ ପଦକ ଓଡ଼ିଶାର ସିନିଅର୍ ପୁରୁଷ ଓ ମହିଳା ବିଭାଗରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଜିତିଛନ୍ତି ।

ସେହିପରି ବରିଷ୍ଠ ବା ମାଷ୍ଟର୍ ୧ ବିଭାଗରେ ସୁଜିତ କୁମାର ଗିରି ୩୩୫ କିଗ୍ରା ଉତ୍ତୋଳନ ପୂର୍ବକ ଅନ୍ୟତମ ବ୍ରୋଞ୍ଜ୍ ପଦକଟି ହାସଲ କରିଛନ୍ତି । ଓଡ଼ିଶାରୁ ଭାଗ ନେଇଥିବା ଏକ ୪୨ଜଣିଆ ଦଳରେ ପୂର୍ବତନ ଅନ୍ତର୍ଜାତୀୟ ଶକ୍ତି ଉତ୍ତୋଳନକାରୀ ପ୍ରଦୀପ କୁମାର ପାତ୍ର, ଗଙ୍ଗାଧର ବିଶୋଇ ଓ ରାକେଶ ଶତପଥୀ କୋଚ୍ ତଥା ମ୍ୟାନେଜର୍ ଭାବେ ଯୋଗ ଦେଇଥିଲେ । ଏହାଛଡ଼ା ବ୍ୟକ୍ତିଗତ ଲିଫ୍ଟରେ ଓଡ଼ିଶା ପାଇଁ ଧାନମତୀ ଡେଡ୍ ଲିଫ୍ଟରେ ସ୍ୱର୍ଣ୍ଣ, ଅନୁପମା ସ୍କ୍ୱାଟ୍‌ରେ ସ୍ୱର୍ଣ୍ଣ ଓ ଡେଡ୍ ଲିଫ୍ଟରେ ରୌପ୍ୟ, ତେଜାବ ସ୍କ୍ୱାଟ୍‌ରେ ବ୍ରୋଞ୍ଜ୍ ଓ ଡେଡ୍ ଲିଫ୍ଟରେ ରୌପ୍ୟ, ସୁଜିତ ବେଞ୍ଚ୍ ପ୍ରେସ୍‌ରେ ରୌପ୍ୟ ଓ ଡେଡ୍ ଲିଫ୍ଟରେ ବ୍ରୋଞ୍ଜ୍ ପଦକ ପାଇଛନ୍ତି ।

ସେହିପରି ଦୁଃଖୀରାମ ମାରାଣ୍ଡି ଡେଡ୍ ଲିଫ୍ଟରେ ବ୍ରୋଞ୍ଜ୍‌, ଅଭିଷେକ ସ୍କ୍ୱାଟ୍‌ରେ ରୌପ୍ୟ, ବେଞ୍ଚ୍ ପ୍ରେସ୍‌ରେ ବ୍ରୋଞ୍ଜ୍ ଓ ଡେଡ୍ ଲିଫ୍ଟରେ ସ୍ୱର୍ଣ୍ଣ, ନାରାୟଣ ସେଠୀ ବେଞ୍ଚ୍ ପ୍ରେସ୍‌ରେ ରୌପ୍ୟ, ବାଦଲ ବେହେରା ସ୍କ୍ୱାଟ୍‌ରେ ରୌପ୍ୟ ଓ ବେଞ୍ଚ୍ ପ୍ରେସ୍‌ରେ ସ୍ୱର୍ଣ୍ଣ, ରାକେଶ ଶତପଥୀ ବେଞ୍ଚ୍ ପ୍ରେସ୍‌ରେ ରୌପ୍ୟ, ପ୍ରଦୀପ କୁମାର ପାତ୍ର ସ୍କ୍ୱାଟ୍‌ରେ ବ୍ରୋଞ୍ଜ୍ ଓ ରାକେଶ ଭୁକ୍ତା ଡେଡ୍ ଲିଫ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି । ପଦକ ବିଜେତାମାନଙ୍କୁ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।