ଶ୍ରଦ୍ଧା ହତ୍ୟା ଘଟଣା: ଅଫତାବଙ୍କ ଘରୁ ପୁଲିସକୁ ମିଳିଲା ଖାସ୍ ଜିନିଷ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ କଡ଼ାକଡ଼ି ଭାବେ ଯାଞ୍ଚ ଆରମ୍ଭ କରିଛି । ଏହିକ୍ରମରେ ମେହରୁଲିରେ ଅଭିଯୁକ୍ତ ଅଫତାବଙ୍କ ଘରେ ଦିଲ୍ଲୀ ପୁଲିସ ପହଞ୍ଚି ତଲାସି କରିଛି । ଘରୁ ଫ୍ରିଜ ସହ ଥର୍ମୋକୋଲ, ୱାଟର ହିଟର ଓ ନୁଡଲ ମିଳିଛି । ଘରୁ ଦୁର୍ଗନ୍ଧ ନ ବାହାରିବା ପାଇଁ ଅଫତାବ ରୁମ ଫ୍ରେସନର ଓ ଧୂପକାଠି ବ୍ୟବହାର କରୁଥିଲା । ଏହାସହ ଶ୍ରଦ୍ଧାଙ୍କ ହତ୍ୟା ପରେ ଭେକ୍ୟୁମ କ୍ଲିନର ମଧ୍ୟ ବ୍ୟବହାର କରାଯାଇଥିଲା । ଅଫତାବ ଖାଇବା ଆଣିବା ପାଇଁ ମଧ୍ୟ ଆଖପାଖକୁ ଯାଉନଥିଲା ।

ଦିଲ୍ଲୀ ପୁଲିସ ମୁତାବକ, ଶ୍ରଦ୍ଧାଙ୍କ ଶରୀରର ଅଙ୍ଗକୁ କାଟିବା ପାଇଁ ଅଫତାବ କେବଳ ଗୋଟିଏ ଅସ୍ତ୍ର ବ୍ୟବହାର କରିଥିଲା। କିନ୍ତୁ ପୁଲିସ ବର୍ତ୍ତମାନ ସୁଦ୍ଧା ଉକ୍ତ ଅସ୍ତ୍ରକୁ ଜବତ କରିପାରି ନାହିଁ । ଆଜି ମେହରୁଲି ଜଙ୍ଗଲରେ ସିନ୍ ରିକ୍ରିଏଟ କରିବା ସମୟରେ ପୁଲିସକୁ ଶ୍ରଦ୍ଧାଙ୍କ ଶବର ଅନେକ ଖଣ୍ଡ ମିଳିଛି । ଫରେନସିକ ଟିମ୍ ଜଙ୍ଗଲରୁ ଜବତ କରିିଥିବା ଖଣ୍ଡକୁ ଶ୍ରଦ୍ଧାଙ୍କ ପିତାଙ୍କ ଡିଏନଏ ସହ ମ୍ୟାଚ କରାଇବା ଲାଗି ଲ୍ୟାବକୁ ପଠାଇଛି । ଅନ୍ୟପଟେ ପୁଲିସ ଶ୍ରଦ୍ଧାଙ୍କ ଶରୀରର ଅନ୍ୟ ଅଂଶର ସର୍ଚ୍ଚ ଜାରି ରଖିଥିବା ଜଣାପଡ଼ିଛି ।