କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପାଟଣାଗଡରେ ୫ ଦିନିଆ ଦୋକାନ ବଜାର ବନ୍ଦ

ପାଟଣାଗଡ଼,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ସାରା ଦେଶରେ ବୃଦ୍ଧି ପାଇବା ସହ ପାଟଣାଗଡରେ ମଧ୍ୟ ବୃଦ୍ଧି ପାଇଛି। ଏହି ମଧ୍ୟରେ ଅଞ୍ଚଳର ବହୁ ଲୋକ ମୃତ୍ୟୁ ବରଣ କରିଥିବାବେଳେ ତାକୁ ଦୃଷ୍ଟିରେ ରଖି ପାଟଣାଗଡ଼ ବଣିକ ସଂଘ ତରଫରୁ ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇ ନିଷ୍ପତ୍ତି ନିଆଯାଇଛି। ତେଣୁ ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି।

କେବଳ ଔଷଧ ଓ ଦୁଗ୍ଧ ଦୋକାନ ଖୋଲା ରହିବା ସହ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଏହି ବନ୍ଦକୁ ପାଟଣାଗଡ ଦୈନିକ ବଜାର ସଂଘ ଓ ଉଠାଦୋକାନୀ ସଂଘ ମଧ୍ୟ ସମର୍ଥନ କରିଛନ୍ତି। ତେଣୁ ବଣିକ ସଂଘର ସଭାପତି ରାଜେଶ ମେହେର, ଉପସଭାପତି ମୋହନ କୁଦେଇ, କୋଷାଧ୍ୟକ୍ଷ ମୁକେଶ ସାହୁ ଧନ୍ୟବାଦ ଜଣାଇଛନ୍ତି। ଏହି ବନ୍ଦ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ଜଣାଯାଇଛି।