ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ରେଙ୍ଗାଲୀ ପଞ୍ଚାୟତ ଭରୁଆମୁଣ୍ଡା ବରତିଆ ଗାଁ ନିକଟରେ ଥିବା ଚାନ୍ଦଲୀ ପାହାଡ଼ରେ ନକ୍ସଲ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିଲା। ଏ ନେଇ ଏସପି କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଥିବା ଏକ ସାମ୍ପାଦିକ ସମ୍ମିଳନୀରେ ବଲାଙ୍ଗିର ଏସପି ସନ୍ଦୀପ ମଡକର ସୂଚନା ଦେଇଛନ୍ତି। ଏଥିରେ ଏସଓଜି ଯବାନଙ୍କ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ କିଛି ନକ୍ସଲ ଆହାତ ହୋଇଥାଇପାରନ୍ତି ବୋଲି ଏସପି କହିଛନ୍ତି। ତେବେ ଗୁଳି ବିନିମୟ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଫେରାଇ ହୋଇଯାଇଥିଲେ। ଏହାପରେ ଉକ୍ତ ନକ୍ସଲ କ୍ୟାମ୍ପରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି। ଏସପିଙ୍କ ସୂଚନା ଅନୁଯାୟୀ ବଲାଙ୍ଗିର-ବରଗଡ-ମହାସମୁନ୍ଦ ଡିଭିଜନର ନକ୍ସଲମାନେ ଜଙ୍ଗଲ ଭିତରେ କ୍ୟାମ୍ପ ପକାଇଥିଲେ।
ସୂଚନା ଆଧାରରେ ଏସଓଜି ଜବାନମାନେ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ନକ୍ସଲମାନେ ପ୍ରଥମେ ଗୁଳି ଚଳାଇଥିଲେ ଓ ଏହାର ପ୍ରତିଉତ୍ତରରେ ପୁଲିସ ମଧ୍ୟ ଗୁଳିଚାଳନା କରିଥିଲା। ତେବେ ବର୍ତ୍ତମାନ ମଧ୍ୟ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଛି। ଶେଷଥର ପାଇଁ ୪ମାସ ତଳେ ଏହି ଜଙ୍ଗଲ ଭିତରେ ପୁଲିସ ଓ ନକ୍ସଲଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଜବତ କରିଥିବା ସାମଗ୍ରୀ ମଧ୍ୟରେ ଦୁଇଟି ଜୀବନ୍ତ ଗୁଳି, ରାସନ ସାମଗ୍ରୀ ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ଉପକରଣ ରହିଛି।