ନୂଆଦିଲ୍ଲୀ,ଏଜେନ୍ସି: କରୋନା ମୁକାବିଲା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ସମସ୍ତ ସରପଞ୍ଚଙ୍କ ସହାୟତା ଲୋଡିଛନ୍ତି। ଆଜି ପଞ୍ଚାୟତି ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ସାରାଦେଶର ସରପଞ୍ଚଙ୍କୁ ସମ୍ବର୍ଦ୍ଧିତ କରିବା ସହ କରୋନା ମୁକାବିଲା ନେଇ ଆଲୋଚନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏଭଳି କଠିନ ପରିସ୍ଥିତିରେ ସମସ୍ତ ଏକାଠି ହୋଇ ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥିସହ ଆତ୍ମନିର୍ଭରଶୀଳ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି।
ତେବେ ଭାରତକୁ ଆଗାମୀ ଦିନରେ ଶକ୍ତିଶାଳୀ ହେବାକୁ ପଡ଼ିବ ତେଣୁ ଏଥିରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି। ଏହି ଆପ୍ ମାଧ୍ୟମରେ ଗ୍ରାମରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ମିଳିପାରିବ ଓ ସହରାଞ୍ଚଳ ପରି ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାଙ୍କ କାର୍ଯ୍ୟ ସହଜ ହୋଇପାରିବ। ସେହିପରି ଏହି ଆପ୍ ଦ୍ୱାରା ପଞ୍ଚାୟତର ସ୍ୱଚ୍ଛତା ଓ ଦକ୍ଷତା ବଢ଼ିପାରିବ ବୋଲି ମୋଦୀ କହିଛନ୍ତି।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀତ୍ୱ ଯୋଜନ ନେଇ ଘୋଷଣା କରିଛନ୍ତି। ଏଥିରେ ଡ୍ରୋନ୍ ଯୋଗେ ଗାଁ ଲୋକଙ୍କ ସମ୍ପତ୍ତିକୁ ମ୍ୟାପିଂ କରାଯିବ। ଫଳରେ ଜମିବାଡ଼ି ଲାଗି ଗାଁରେ ହେଉଥିବା ଗଣ୍ଡଗୋଳ ଦୂର ହୋଇପାରିବ। ଏଥିସହ ବ୍ୟାଙ୍କରୁ ଋଣ ମିଳିବା ସହଜ ହେବ। ପ୍ରଥମ ପର୍ଯ୍ୟାୟରେ ୬ଟି ରାଜ୍ୟରେ ସ୍ୱାମିତ୍ୱ ଯୋଜନା ଲାଗୁ ହେବ।