ପୁଣି ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ

ମାଓବାଦୀଙ୍କ ପକ୍ଷରୁ ଗ୍ରେନେଡ ମାଡ଼, ଜଣେ ମିଲିସିଆ ଅଟକ

ଫୁଲବାଣୀ,ଗୋଛାପଡ଼ା,ଏନ୍ଏନ୍ଏସ୍:  କନ୍ଧମାଳ ଜିଲ୍ଲା ଫିରିଙ୍ଗିଅ ବ୍ଲକ୍ ଗୋଛାପଡା ଥାନା କୁଏରମାଣ୍ଡୁ ପଞ୍ଚାୟତର ବେରେଣି ଅଞ୍ଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏକ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ବୋଲି ଜଣାଯାଇଛି। ତେବେ ଏଥିରେ କୌଣସି ମାଓବାଦୀ ନିହତ ହୋଇନଥିଲେ ମଧ୍ୟ ଯବାନମାନେ ଉକ୍ତ ଜଙ୍ଗଲରୁ ୨ଟି ଦେଶୀ ବନ୍ଧୁକ ସହିତ ଗୋଟିଏ ରେଡ଼ିଓ , କିଛି ଔଷଧ ଓ ରାସନ ସହିତ ମାଓ ପୋଷାକ ଜବତ କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଉକ୍ତ ଜଙ୍ଗଲରେ କମ୍ବିଂ ଚାଲିଥିବା କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପ୍ରାୟ ୭ ରୁ ୮ ଜଣ ମାଓବାଦୀ ଘଞ୍ଚ ଜଙ୍ଗଲର ସୁବିଧା ନେଇ ପଳାଇ ଯାଇଥିଲେ ବୋଲି ଏସପି ସୂଚନା ଦେଇଛନ୍ତି। ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଉପରୋକ୍ତ ମାଓ ସାମଗ୍ରୀ ସବୁ ଜବତ କରାଯାଇଛି ।  ତେବେ ଏହି ଘଟଣାରେ ଆଜି ଜଣେ ମିଲିସିଆକୁ ଅଟକ ରଖି ଅଧିକ ପଚର ଉଚରା ଚାଲିଥିବା ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।