ନୂଆଦିଲ୍ଲୀ,ଏଜେନ୍ସି : ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କ ପ୍ରତି ଭାଗ୍ୟଦେବୀ ଅପ୍ରସନ୍ନ ଅଛନ୍ତି । ଏବେ ପ୍ରତିରକ୍ଷା ମନ୍ତ୍ରଣାଳୟ ରିଲାଏନ୍ସ ନାଭାଲ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍ (ଆଇଏନ୍ଇଏଲ୍)କୁ ଦେଇଥିବା ୨୫୦୦ କୋଟିର ଠିକା କାମକୁ ରଦ୍ଦ କରିଛି । ରିଲାଏନ୍ସ ନାଭାଲ କମ୍ପାନୀକୁ ନୌସେନା ପାଇଁ ୫ଟି କ୍ଷୁଦ୍ର ଜାହାଜ ନିର୍ମାଣ ପାଇଁ ବୁଝାମଣା କରିଥିଲା ।
କମ୍ପାନୀର ମନ୍ଥର କାର୍ଯ୍ୟକୁ ଦେଖି ନୌସେନା ନିର୍ଦ୍ଧାରିତ ସମୟ ଭିତରେ ଜାହାଜ ପାଇବା ଆଶା ଛାଡ଼ିଦେଇଛି । ପରିଣାମ ସ୍ୱରୂପ ଅନିଲଙ୍କ ସହ ବୁଝାମଣାକୁ ବାତିଲ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଅନ୍ୟ କମ୍ପାନୀ ପ୍ରତି ମନ ବଳାଇଛନ୍ତି । ୨୦୧୧ରେ ରିଲାଏନ୍ସ ଗ୍ରୁପ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ନୌସେନା ପାଇଁ ଜାହାଜ ତିଆରି କରିବାକୁ ରାଜିନାମା ହୋଇଥିଲା । ଗୁଜରାଟରେ ସିପ୍ୟାର୍ଡ କିଣିବା ପୂର୍ବରୁ ରିଲାଏନ୍ସ ଗ୍ରୁପ ପକ୍ଷରୁ ନିଖିଲ ଗାନ୍ଧୀ ସରକାରଙ୍କ ସହିତ ବୁଝାମଣା କରିଥିଲେ । ୨୦୧୫ରେ ଏହି ଗ୍ରୁପର ନାମ ପିପାବାବ ଡିଫେନ୍ସ ଆଣ୍ଡ୍ ଅଫ୍ସୋର୍ ଇଞ୍ଜିନିୟରିଂ ଲିମିଟେଡ୍ ଥିଲା । ପରେ କମ୍ପାନୀର ନାମ ପରିବର୍ତ୍ତନ କରାଯାଇ ରିଲାଏନ୍ସ ନାଭାଲ ଆଣ୍ଡ୍ ଇଞ୍ଜିନିୟରିଂ ଲିମିଟେଡ୍ କରାଯାଇଥିଲା ।
ଇତିମଧ୍ୟରେ ନ୍ୟାସ୍ନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍ସିଏଲ୍ଟି)ର ଅହମ୍ମଦାବାଦ ଖଣ୍ଡପୀଠ ଅନିଲଙ୍କ କମ୍ପାନୀକୁ ଦେବାଳିଆ ଘୋଷଣା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାୟ ପ୍ରଦାନ କରିଛନ୍ତି । ଋଣ ପ୍ରଦାନକାରୀ ସଂସ୍ଥାମାନେ ଅନିଲଙ୍କ କମ୍ପାନୀଠାରୁ ୪୩,୫୮୭ କୋଟି ଟଙ୍କା ପାଇବାକୁ ଦାବି କରିଛନ୍ତି । ମାତ୍ର ରିଜୋଲ୍ୟୁସନ୍ ପ୍ରଫେସନାଲ୍ କେବଳ ୧୦,୮୭୮ କୋଟି ଟଙ୍କା ପୈଠ କରିବାକୁ ସୁପାରିସ କରିଛି । ଅନିଲଙ୍କୁ କମ୍ପାନୀକୁ କିଣିବା ପାଇଁ ଅର୍ଥ ଲଗାଣକାରୀ ସଂସ୍ଥା ଆଗ୍ରହ ପ୍ରକାଶ କରିଥିଲା । ସୂଚନାଯୋଗ୍ୟ, ଅନିଲଙ୍କ ରିଲାଏନ୍ସ ନାଭାଲକୁ କିଣିବା ପାଇଁ ପ୍ରାୟ ୧୨ଟି କମ୍ପାନୀ ପ୍ରସ୍ତାବ ଉପସ୍ଥାପନ କରିଥିଲେ ।