ବେରୁଟ୍‌ରେ ଡିଜେଲ ଟ୍ୟାଙ୍କ ବିସ୍ଫୋରଣ: ୪ ମୃତ, ୨୦ ଆହତ

ବେରୁଟ୍‌,ଏଜେନ୍ସି : ବେରୁଟ୍‌ର ଗୋଟିଏ କୋଠା ଭିତରେ ଥିବା ଡିଜେଲ୍ ଟ୍ୟାଙ୍କ ଫାଟିଯିବାରୁ ଅନ୍ୟୂନ ୪ ଜଣ ପ୍ରାଣ ହରାଇଛନ୍ତି । ଲେବାନନ୍ ରେଡ୍‌କ୍ରସ ସୂଚନା ମୁତାବକ ୨୦ ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । କୋଠାର ଭୂତଳ କକ୍ଷରେ ପାଉରୁଟି କମ୍ପାନୀଟିଏ ଚାଲିଥିଲା ।

ପାଉରୁଟି କମ୍ପାନୀର ତ୍ରୁଟି କାରଣରୁ ଡିଜେଲ ଟାଙ୍କି ଫାଟିଥିବାର ଆଶଙ୍କା କରାଯାଉଛି । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ତତ୍‌କ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଲେବାନନ୍ ସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଦୁଇମାସ ତଳେ ବେରୁଟ୍ ବନ୍ଦରରେ ସାଇତା ହୋଇ ରହିଥିବା ୩୦୦୦ ଟନ୍ ପରିମାଣର ଆମୋନିୟମ ନାଇଟ୍ରେଟ୍ କୌଣସି କାରଣରୁ ବିସ୍ଫୋରଣର ଶିକାର ହେବାରୁ ଅନ୍ୟୂନ ୨୦୦ ଲୋକ ପ୍ରାଣ ହରାଇବା ସହ ୬,୫୦୦ କ୍ଷତାକ୍ତ ହୋଇଥିଲେ ।

ଏବେସୁଦ୍ଧା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋରଣ କାରଣ ଜାଣିବାକୁ ପୁଲିସ ସକ୍ଷମ ହୋଇନି । କିନ୍ତୁ ବିସ୍ଫୋରଣ ପାଇଁ ଦାୟୀ କରାଯାଇ ୨୪ରୁ ଅଧିକ ବନ୍ଦର କର୍ମଚାରୀ ଓ ବର୍ହିଶୁଳ୍ପ ଅଧିକାରୀଙ୍କୁ ଗିରଫ କରାଯାଇଛି । ଅନ୍ୟପକ୍ଷରେ ଭୀଷଣ ରୌଦ୍ରତାପ କାରଣରୁ ଇସ୍ରାଏଲ୍ ସୀମାନ୍ତକୁ ଲାଗି ରହିଥିବା ଲେବାନନ୍ ଜଙ୍ଗଲରେ ନିଆଁ ଲାଗିଯାଇଛି । ଫଳରେ ନିକଟସ୍ଥ ଗ୍ରାମାଞ୍ଚଳକୁ ନିଆଁ ବ୍ୟାପିବାକୁ ଲାଗିଛି । ଜଙ୍ଗଲ ନିଆଁ ଦାଉରେ ଲେବାନନ୍‌ର ୱାଜାନି ଅଞ୍ଚଳର ଗୋଟିଏ ଖଣିକୁ ନିଆଁ ବ୍ୟାପିଛି ।