ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା; ବିନା ଶବରେ ହେଲା ଅନ୍ତିମ ସତ୍କାର

ଆସିକା,ଏନ୍‌ଏନ୍‌ଏସ୍‌: ବିନା ଶବରେ ହୋଇଛି ଅନ୍ତିମ ସତ୍କାର । ଘଟଣାଟି ଶୁଣିବାକୁ ଯେତିକି ଅସ୍ୱାଭାବିକ ଲାଗୁଛି ସେତିକି ଦୁଃଖଦ ତଥା ସେତିକି ସମ୍ବେଦନଶୀଳ ମନେହେଉଛି । ନଡ଼ା ବିଡ଼ାରେ ଶବ କରି ପରିବାର ଲୋକ ଶବସତ୍କାର କରିଛନ୍ତି । ଏଭଳି ଘଟଣା ଘଟିଛି ଆସିକା ବ୍ଲକ ଗହଙ୍ଗୁ ଗ୍ରାମରେ । ରାଜଧାନୀ ପେଟ୍ରୋଲ ପମ୍ପ ବିସ୍ଫୋରଣ ପରେ ନିଖୋଜ ଥିବା ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ନମିଳିବା ପରେ ତାଙ୍କ ନାମରେ ନଡ଼ା ବିଡ଼ାକୁ ଶବ କରି ପରିବାର ଲୋକ ସତ୍କାର କରିଥିଲେ । ରାଜଧାନୀ ପେଟ୍ରୋଲ ପମ୍ପଠାରେ ଏଲ୍‌ପିଜି ଟ୍ୟାଙ୍କ ମରାମତି ବେଳେ ବିସ୍ଫୋରଣରେ ମୃତ୍ୟୁ ସାଙ୍ଗକୁ ଅନେକ ଆହତ ହୋଇଥିଲେ । ଘଟଣାସ୍ଥଳରେ ଅନେକ ମୃତବ୍ୟକ୍ତିଙ୍କ ଶରୀରର ବିଭିନ୍ନ ଅଂଶ ପଡ଼ି ରହିଥିଲା । ଏହି ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲା ଆସିକା ଏନ୍‌ଏସି ଏକ ନମ୍ବର ୱାର୍ଡ ରଘୁନାଥ ନଗରର ସତ୍ୟନାରାୟଣ ନାୟକ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।

ସେହିଭଳି ଗହଙ୍ଗୁ ଗ୍ରାମର ଇଞ୍ଜିନିୟର ସୀମାଞ୍ଚଳ ଏଲ୍‌ପିଜି ଟ୍ୟାଙ୍କ୍ ମରାମତି କାର୍ଯ୍ୟରେ ଲିପ୍ତ ଥିଲେ । ଅପରାହ୍ଣ ପ୍ରାୟ ୨.୧୦ ମିନିଟ ସମୟରେ ବିସ୍ଫୋରଣ ବେଳେ ତାଙ୍କ ପତ୍ତା ମିଳିନଥିଲା । ଦୁର୍ଘଟଣାସ୍ଥଳରୁ ତାଙ୍କର ପର୍ସ ସହ ଅନ୍ୟାନ୍ୟ ଉପକରଣ ମିଳିଥିଲା । ଖବର ପାଇ ସମ୍ପର୍କୀୟ ବସନ୍ତ ଲେଙ୍କା ସେଠାକୁ ଯାଇ ପର୍ସ, ଜୋତା, ଡ୍ରେସ ଓ ଶରୀରର ବିଭିନ୍ନ ଅଙ୍ଗକୁ ଚିହ୍ନଟ କରିଥିଲେ । ଏହାପରେ ବସନ୍ତ କ୍ୟାପିଟାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । କ୍ୟାପିଟାଲ୍ ଥାନା ଓ ଇଣ୍ଡିଆନ୍ ଅଏଲ୍ ସଂସ୍ଥାର ବିଶେଷଜ୍ଞମାନେ ଘଟଣାସ୍ଥଳରୁ ମିଳିଥିବା ଶରୀରର ବିଭିନ୍ନ ଅଂଶକୁ ବ୍ୟବଚ୍ଛେଦ ସହ ଡିଏନ୍‌ଏ ଟେଷ୍ଟ୍ କରାଯିବା ନେଇ ସୀମାଞ୍ଚଳଙ୍କ ପରିବାର ଲୋକଙ୍କୁ ଜଣାଇ ଆଶ୍ୱାସନା ପ୍ରଦାନ କରିଥିଲେ ।

ଆଜି ଗହଙ୍ଗୁ ଗ୍ରାମରେ ସୀମାଞ୍ଚଳଙ୍କ ପରିବାର ଲୋକ ଓ ଗ୍ରାମର କୁଳ କୁଟମ୍ବ ପରମ୍ପରା ଅନୁଯାୟୀ ଏକ କୁଶପୁତ୍ତଳିକା ତିଆରି କରି ଶବ ସତ୍କାର ସହ ରୀତିନୀତି ପାଳନ କରିଥିଲେ । ପ୍ରକାଶ ଥାଉକି ସୀମାଞ୍ଚଳ ତ୍ରିନାଥ ପରିଡ଼ାଙ୍କ ଏକମାତ୍ର ପୁଅ ଥିଲେ । ୬ଭଉଣୀ ମଧ୍ୟରେ ଏକମାତ୍ର ଭାଇ ସୀମାଞ୍ଚଳ ଇଲେକ୍ଟ୍ରୋନିକ୍‌ସରେ ଡିପ୍ଲୋମା କରିଥିଲେ । କୋଲକାତାରେ ଇଣ୍ଡିଆନ୍ ଅଏଲ୍ କମ୍ପାନୀର ବିଭିନ୍ନ ଛୋଟ ବଡ଼ ମରାମତି କାର୍ଯ୍ୟ ପାଇଁ ଠିକାଦାର ରୂପେ ନିୟୋଜିତ ଥିଲେ । ସୀମାଞ୍ଚଳ ଗତ ୬ ତାରିଖରେ କୋଲକାତାରୁ ଆସି ଭୁବନେଶ୍ୱରରେ ଓହ୍ଲାଇ ଲଜରେ ରହିଥିଲେ ।

ସକାଳେ ରାଜଧାନୀ ପେଟ୍ରୋଲ ପମ୍ପଠାରେ ଥିବା ଏଲ୍‌ପିଜି ଟ୍ୟାଙ୍କ୍ ଓ ନାଇଟ୍ରୋଜେନ୍ ଟ୍ୟାଙ୍କର ମରାମତି ସାରି ଏଲ୍‌ପିଜି ଫିଲିଂ କାର୍ଯ୍ୟରେ ଶେଷ ଟେଷ୍ଟିଂ କରୁଥିଲେ । ଏତିକି ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୀମାଞ୍ଚଳ ଶିକାର ହୋଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଉଛି । ସୀମାଞ୍ଚଳ କୋଲକାତାରେ ନିଜ ଘର ଦ୍ୱାର କରି ସ୍ତ୍ରୀ, ପୁଅ ଓ କନ୍ୟା ସହ ରହୁଥିଲେ ।