ଶିବସେନା ନେତା ସଂଜୟ ରାଉତ ଗିରଫ, ରବିବାର ଦିନସାରା ପଚରାଉଚରା କରିଥିଲା ଇଡି

ମୁମ୍ବାଇ,ଏଜେନ୍ସି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶେଷରେ ଶିବସେନାର ବରିଷ୍ଠ ନେତା ସଂଜୟ ରାଉତଙ୍କୁ ଗିରଫ କରିଛି । ଇଡି ପିଏମ୍‌ଏଲଏ ଆଇନ ଅନୁସାରେ ରବିବାର-ସୋମବାର ମଧ୍ୟରାତ୍ରିରେ ସଂଜୟକୁ ଗିରଫ କରିଥିବା ଜଣାପଡ଼ିଛି । ରାତି ପ୍ରାୟ ସାଢ଼େ ୧୨ଟାରେ ସଂଜୟଙ୍କ ଭାଇ ସୁନୀଲ ରାଉତ ଇଡି କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ପରେ ସୁନୀଲ ନିଜ ସାଥିରେ ଏକ ବ୍ୟାଗ ନେଇ ଫେରି ଆସିଥିଲେ । ସୂଚନାଯୋଗ୍ୟ ଇଡି ରବିବାର ଦିନସାରା ପଚରାଉଚରା କରିବା ପରେ ନିଜ ହେପାଜତକୁ ନେଇଥିଲା ।

ସଂଜୟ ରାଉତଙ୍କ ଗିରଫତାରୀ ନେଇ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଇଡି ସଂଜୟ ରାଉତଙ୍କୁ ଡରୁଛି । ଏଥି ପାଇଁ ଗିରଫ କରିଛି । ସୁନୀଲ କହିଛନ୍ତି ଯେ, ନକଲି ପ୍ରମାଣପତ୍ର ମାଧ୍ୟମରେ ସଂଜୟ ରାଉତଙ୍କୁ ପାତ୍ରା ଚଲ ସହିତ ଯୋଡ଼ିବାକୁ ଉଦ୍ୟମ ହେଉଛି । ଏହି ଗିରଫତାରି କେବଳ ସ୍ୱର ବନ୍ଦ କରିବା ପାଇଁ, ଯେଉଁ ଟଙ୍କା ମିଳିଛି, ତାହା ଶିବସୈନକଙ୍କ ଅଯୋଧ୍ୟା ଗସ୍ତ ସମୟର ଥିଲା । ସୂଚନାଯୋଗ୍ୟ, ସଂଜୟ ରାଉତଙ୍କ ଘରୁ ଇଡି ୧୧.୫୦ ଲକ୍ଷ ଟଙ୍କା ଜବତ କରିଛି । ଇଡିର ବରିଷ୍ଠ ଅଧିକାରୀ ମଧ୍ୟ ବିଳମ୍ବିତ ରାତିରେ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚି ସାରିଛନ୍ତି ।

ଇଡି ରବିବାର ସକାଳ ରାଜ୍ୟସଭା ସାଂସଦ ସଂଜୟ ରାଉତଙ୍କ ମୁମ୍ବାଇସ୍ଥିତ ବାସଭବନରେ ପହଞ୍ଚିଥିଲା । ସଂଜୟ ରାଉତଙ୍କୁ ପୁରୁଣା ମାମଲାରେ ପଚରାଉଚରା କରିଥିଲା । ଏହା ପରେ ନିଜ ହେପାଜତକୁ ନେଇଯାଇଥିଲା । ସଂଜୟ ରାଉତଙ୍କ ବିରୋଧରେ ୧୦୩୪ କୋଟି ଟଙ୍କାର ପାତ୍ର ଚଲ ଦୁର୍ନିୀତି ସହିତ ମନି ଲଣ୍ଡରିଙ୍ଗ୍ ମାମଲା ଚାଲିଛି । ତାଙ୍କୁ ଇଡି ପକ୍ଷରୁ ଏକାଧିକ ଥର ସମନ ହୋଇଥିଲା । କିନ୍ତୁ ଯେକୌଣସି କାରଣରୁ ସଂଜୟ ରାଉତ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ।