ରାଜ୍ୟଗୋଷ୍ଠୀ କ୍ରୀଡ଼ା: ପିତାଙ୍କ ମୃତ୍ୟୁରେ ବି ଭାଙ୍ଗିପଡ଼ି ନଥିଲେ ଅଚିନ୍ତା ଶେଉଳି, ଭାରତକୁ ଦେଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ,ଏଜେନ୍ସି: ବର୍ମିଂହାମରେ ଜାରି ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରୋତ୍ତଳନକାରୀ ଅଚିନ୍ତା ଶେଉଳି ପୁରୁଷ ଭାରୋତ୍ତଳନର ୭୩ କିଲୋ ଭାରବର୍ଗରେ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ଅଚିନ୍ତା ଶେଉଳି ସ୍ନେଚରେ ରେକର୍ଡ ୧୪୩ କିଲୋ ଓଜନ ଉଠାଇଥିଲେ । ସେହିପରି କ୍ଲିନ ଆଣ୍ଡ ଜାର୍କରେ ସେ ୧୭୦ କିଲୋ ଭାର ଉଠାଇଥିଲେ । ମୋଟାମୋଟି ଭାବେ ସେ ଗେମ୍ସ ରେକର୍ଡ କରି ୩୧୩କିଲୋ ଓଜନ ଉଠାଇ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।

ତେବେ ଅଚିନ୍ତା ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ । ତାଙ୍କର ଏହି ଯାତ୍ରା ବହୁତ କଷ୍ଟ ସାଧ୍ୟ ଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅଚିନ୍ତା ସାଈ କେନ୍ଦ୍ର ଏନଏସଏନଆଇଏସ ପଟିଆଲା ଯାଇଥିଲେ । ସେ ସେଠାରେ ଲଗାତାର ଉନ୍ନତ ପ୍ରଦର୍ଶନ କରିଥିଲେ । ତାଙ୍କର ଜୀବନସାରା କରିଥିବା ପରିଶ୍ରମ, ଆନ୍ତରିକ ପ୍ରେରଣା ଯୋଗୁଁ ତାଙ୍କୁ ସଫଳତା ମିଳିଛି । ପଶ୍ଚିମବଙ୍ଗର ହାୱଡା ଜିଲ୍ଲ ଧୁଲାଗଡ଼ ନିବାସୀ ଅଚିନ୍ତା ୧୦ ବର୍ଷ ବୟସରୁ ନିଜର ଭାଇ ଆଲୋକଙ୍କ ସହିତ ଜିମରେ ଅଭ୍ୟାସ କରୁଥିଲେ । ସେହି ଦିନଠାରୁ ସେ ଲଗାତାର ପରିଶ୍ରମ କରୁଥିଲେ ।

ଅଚିନ୍ତା ଆରମ୍ଭରୁ ବହୁତ ବ୍ୟାୟାମ କରୁଥିଲେ୧ କିନ୍ତୁ ପରେ ସେ ଲିଫ୍ଟିଙ୍ଗ କରିବାକୁ ମନ ବଢ଼ାଇଲେ । ଅଚିନ୍ତାଙ୍କ ଆଗ୍ରହ ଓ ଅନୁଶାସନ ଘରର ପରିସ୍ଥିତି ଦ୍ୱାରା ପ୍ରଭାବିତ ଥିଲା । ପରିବାର ଭରଣ-ପୋଷଣ କରିବା ପାଇଁ ପିତା ଦିନ ମଜୁରିଆ ଥିଲେ । ୨୦୧୩ରେ ନିଜ ପିତାଙ୍କ ମୃତ୍ୟୁ ପରେ ଭାଇ ଆଲୋକ ୱେଟଲିଫଟିଙ୍ଗ ଛାଡ଼ି ଦେଇଥିଲେ । ତାଙ୍କର ମା’ ଘରକୁ ବ୍ୟବସ୍ଥିତ ରଖିବା ପାଇଁ ସିଲାଇ ଓ ଅନ୍ୟକାମ କଲେ । ଅଚିନ୍ତା ନିଜର ମନୋବଳକୁ କେବେ ଦୁର୍ବଳ କରି ନଥିଲେ । ପିତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ବି ନିଜ କର୍ତ୍ତବ୍ୟରେ କେବେ ଅବହେଳା କରୁ ନଥିଲେ ।

ପଦକ ଜିତିବା ପରେ ୨୦ ବର୍ଷୀୟ ଅଚିନ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ସେ ବହୁତ ଖୁସି ଅଛନ୍ତି । ଅନେକ ସଂଘର୍ଷ ଅତିକ୍ରମ କରି ମୁଁ ପଦକ ଜିତିଛି । ଏହି ପଦକ ଭାଇ ଓ କୋଚଙ୍କୁ ସମର୍ପିତ କରୁଛି । ଏହା ପରେ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବି । ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆଜିକାଲି ପ୍ରତେକ ଜିନିଷ ଫୋନରୁ ଶିଖିବାକୁ ମିଳୁଛି । କିନ୍ତୁ ଆପଣଙ୍କର ଲକ୍ଷ୍ୟକୁ ଏକ କେନ୍ଦ୍ରୀତ କରିବାର ଅଛି । ଅନେକ ଲୋକ ଝିଙ୍କୁ ପ୍ରଭାବିତ କରିବା ପାଇଁ ଜିମ୍ ଯାଆନ୍ତି । ମୁଁ ଆଗକୁ ବଢ଼ିବାକୁ ଚାହୁଁଥିଲି । କାରଣ ମୋର ପାରିବାରର ସ୍ଥିତି ଭଲ ନ ଥିଲା । ମୋତେ ଜଣା ଥିଲା ଯେ, ସବୁ ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ପଡ଼ିବ ।