ମିଶନ ଶକ୍ତି ମହିଳାଙ୍କ ପାଇଁ ‘ଶର୍ବାଣୀ’ ଉଦଘାଟିତ

ବରଗଡ଼,ଏନ୍‌ଏନ୍‌ଏସ୍‌: ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି ସାମଗ୍ରୀ ଏବେ ଏଣିକି ଗୋଟିଏ ଜାଗାରେ ମିଳିବ। ଗୋଟିଏ ସ୍ଥାନରେ ଆଚାର, ପାମ୍ପଡ଼ ଓ ମସଲା ପରି ଖାଦ୍ୟ ସାମଗ୍ରୀଠୁ ନେଇ ଘରକରଣା ଜିନିଷ ପର୍ଯ୍ୟନ୍ତ ସବୁକିଛି ମିଳିବ। ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ପ୍ରକାର ସାମଗ୍ରୀ ବିକ୍ରୟ ପାଇଁ ବରଗଡ଼ ସହରରେ ଏକ ବିକ୍ରୟ କେନ୍ଦ୍ର ‘ଶର୍ବାଣୀ’ ଉଦଘାଟିତ ହୋଇଯାଇଛି । ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ବରଗଡ଼ ଜିଲ୍ଲାର ମହିଳାଙ୍କ ଦ୍ୱାରା ଉତ୍ପାଦିତ ସମସ୍ତ ପ୍ରକାର ସାମଗ୍ରୀର ବିକ୍ରୟ ପାଇଁ ଶର୍ବାଣୀ ନାମକ ବ୍ରାଣ୍ଡ ନାମକରଣ କରାଯାଇଛି । ଏହାକୁ ବରଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ବରଗଡ଼ ହେଣ୍ଡଲୁମ ଏଣ୍ଡ ଏଗ୍ରୀ ପ୍ରଡ୍ୟୁସର କମ୍ପାନୀ କ୍ରୟ ଏବଂ ବିକ୍ରୟ ହାତକୁ ନେଇଛି । ଏହି ବିକ୍ରୟ କେନ୍ଦ୍ର ଆରମ୍ଭ ହେବା ଦ୍ୱାରା ବରଗଡ଼ ଜିଲ୍ଲାର ମହିଳାଙ୍କ ଆର୍ôଥକ ଉନ୍ନତିରେ ସହାୟକ ହେବ ବୋଲି କୁହାଯାଇଛି । ସେହିପରି ଏହା ମାଧ୍ୟମରେ ଶର୍ବାଣୀ ନାମରେ ବରଗଡ଼ ଜିଲ୍ଲାର ନୂତନ ପରିଚୟ ସୃଷ୍ଟି ହେବ ବୋଲି କୁହାଯାଇଛି । ଆଗାମୀ ଦିନରେ ଏହି ସାମଗ୍ରୀ ଜିଲ୍ଲା ତଥା ରାଜ୍ୟ ବାହାରେ ବିକ୍ରୟ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି ।