ବରଗଡ଼ରେ ୬୬୨ କଲେଜ ସଂଘର ଜିଲ୍ଲାସ୍ତରୀୟ ବୈଠକ

ବରଗଡ଼,ଏନ୍‌ଏନ୍‌ଏସ୍‌: ସମାନ କାମକୁ ସମାନ ଦରମା ପ୍ରଦାନ ଦାବୀରେ ୧୪୬ ଦିନ ହେଲା ରାଜଧାନୀର ରାଜରାସ୍ତାରେ ୬୬୨ କଲେଜ ସଂଘର ଅଧ୍ୟାପକମାନେ ଧାରଣାରେ ବସିଛନ୍ତି । ଅନ୍ୟପଟେ ଆଜି ବରଗଡ଼ ଜିଲ୍ଲା ୬୬୨ କଲେଜ ସଂଘର ଏକ ଜିଲ୍ଲାସ୍ତରୀୟ ବୈଠକ ସ୍ଥାନୀୟ ଟ୍ରଷ୍ଟ ଫଣ୍ଡ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅଶୋକ ବେହେରାଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ବେସରକାରୀ ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହୋଇଥିବାବେଳେ ୪ ଦଫା ଦାବୀ ନେଇ ଆଗାମୀ ୧୨ରେ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବୀପତ୍ର ଦେବାକୁ ଏବଂ ଦାବୀ ପୂରଣ ନହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଓହ୍ଲାଇବାକୁ ବୈଠକରେ ସ୍ଥିର କରାଯାଇଛି । ରାଜ୍ୟ ସରକାର କ୍ୟାବିନେଟ ମୋହର ମାରି ଗତ ଜାନୁୟାରୀ ମାସରୁ ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି । ମାତ୍ର ସମାନ କାମ କରୁଥିବା କେତେକ ଅଧ୍ୟାପକ କର୍ମଚାରୀ ଏଥିରେ ଉପକୃତ ହେଉଥିବାବେଳେ ଆଉ କେତେକ ଅଧ୍ୟାପକ କର୍ମଚାରୀ ଏଥିରୁ ବାଦ ପଡ଼ିଛନ୍ତି । ସମାନ ଦରମା ପାଉଥିବା ୨ ଗୋଷ୍ଠୀକୁ ଏ ନିଷ୍ପତ୍ତି ଆଧାରରେ ସରକାର ୨ ଭାଗ କରି ଭାଙ୍ଗି ଦେଇଛନ୍ତି । ତେଣୁ ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଏ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନାତ୍ମକ ପନ୍ଥା ଆପଣେଇଛି ଏବଂ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି କୁହାଯାଇଛି ।