ପଂଚମ ଶ୍ରେଣୀ ଛାତ୍ରଙ୍କୁ ଯୌନ ନିର୍ଯ୍ୟାତନା

ଦେଓଗାଁ,ଏନ୍ଏନ୍ଏସ: ବଲାଙ୍ଗିର ଜିଲ୍ଲା ତୁଷୁରା ଏନଏସିଠାରେ ଥିବା ରୟାଲ ଇଣ୍ଟରନେସନାଲ ପବ୍ଲିକ ସ୍କୁଲର ଜଣେ ପଂଚମ ଶ୍ରେଣୀର ଛାତ୍ର ସେହି ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ତୁଷୁରା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତ ଛାତ୍ରଙ୍କ ବାପା ଓ ମା’ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ)ରେ ଅଭିଯୋଗ କରି ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ସମ୍ମୁଖରେ ହାଜର ହୋଇଥିଲେ। ଅଭିଭାବକଙ୍କ ଉପସ୍ଥିତିରେ ପୀଡ଼ିତଙ୍କ ବୟାନ ରେକର୍ଡ କରାଯାଇଥିଲା ଏବଂ ଲିଖିତ ବୟାନକୁ ନେଇ ତୁଷୁରା ଥାନାରେ କମିଟିର ସଦସ୍ୟମାନେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସେହିପରି ଡିସିପିୟୁ ଓ ସିତବୃସି ସ୍କୁଲକୁ ଯାଇ ଖୋଳତାଡ଼ ଆରମ୍ଭ କରିଛନ୍ତି। ଉକ୍ତ ଛାତ୍ରଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ବଡ଼ଦିନ ଛୁଟି ପରେ ଚଳିତ ବର୍ଷ ଜାନୁଆରୀ ୩ ତାରିଖରେ ସଂପୃକ୍ତ ପୀଡ଼ିତ ଛାତ୍ରକୁ ତାଙ୍କ ବାପା ଆଣି ହଷ୍ଟେଲରେ ଛାଡ଼ି ଚାଲି ଯାଇଥିଲେ। ପୂର୍ବରୁ ପ୍ରତି ରବିବାର ପୁଅ ସହ ଫୋନରେ କଥା ହେଉଥିଲେ। ହେଲେ ଚଳିତଥର କଥା ହେବାକୁ ସୁଯୋଗ ଦିଆଯାଇ ନଥିଲା। ବାରମ୍ବାର ଏଭଳି ହେବାରୁ ଜାନୁଆରୀ ୨୬ ତାରିଖରେ ବାପା, ମା’ ଦେଖିବାକୁ ଆସିଥିଲେ। ବିଦ୍ୟାଳୟର ଅନ୍ୟ ଛାତ୍ରଙ୍କଠାରୁ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ ଯୌନ ଉତ୍ପୀଡ଼ନର ଶିକାର ହେବାପରେ ଛାତ୍ର ଜଣକ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍କୁଲ କର୍ତୃପକ୍ଷ ୩ ଦିନର ଔଷଧ ଦେଇଥିବା ଛାତ୍ର ଜଣକ ନିଜ ମା’କୁ କହିଥିଲେ। ଏହା ଜାଣିବା ପରେ ପୀଡ଼ିତଙ୍କ ଅଭିଭାବକ ସ୍କୁଲରେ ହୋହାଲ୍ଲା କରିଥିଲେ। ବିଦ୍ୟାଳୟ କର୍ତୃପକ୍ଷ ସବୁ ଜାଣି ସୁଦ୍ଧା ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ। ତେବେ, ପୁଅକୁ ଅନ୍ୟ ସ୍ଥାନରେ ପଢ଼ାଇବା ପାଇଁ ସାର୍ଟିଫିକେଟ ମାଗିବାରୁ କୁଆଡ଼େ ବାରଣ କରାଯାଇଥିଲା। ଫଳରେ ୭ ମାସ ପରେ ବୁଧବାର ପୁଅକୁ ନେଇ ବାପା ମା’ ଶିଶୁ ମଙ୍ଗଳ ଅଧିକାରୀଙ୍କଠାରେ ଅଭିଯୋଗ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ସୁରକ୍ଷା ଅଧିକାରୀ ଚୂଡ଼ାମଣି ପଣ୍ଡା, ସାମାଜିକ କର୍ମୀ ଅରୁଣ ଖୁଆସ ତୁଷୁରା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ସମୟରେ ମାଜିଷ୍ଟ୍ରେଟ ଭାବେ ସିଡବ୍ଲୁସିର ସଦସ୍ୟ ଡା. ଗୋଦାବରୀଶ ରଥ ଉପସ୍ଥିତ ଥିଲେ।