ସୀମା ବିବାଦ ପାଇଁ ଭାରତକୁ ଦୋଷ ଦେଲା ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଦିନକୁଦିନ ବଢ଼ିବାରେ ଲାଗିଛି। ଭାରତ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଅଢ଼େଇ ଘଣ୍ଟା ଆଲୋଚନା ସତ୍ତେ୍ୱ ଚୀନ ପ୍ରତିରକ୍ଷା ମନ୍ତ୍ରୀ ସୀମା ବିବାଦକୁ ନେଇ ଭାରତକୁ ଦୋଷ ଦେଇଥିଲେ। ଏଥିସହିତ ନିଜ ଜମିକୁ ରକ୍ଷା କରିବା ପାଇଁ ଚୀନ ସମ୍ପୂର୍ଣ୍ଣରୂପେ ସକ୍ଷମ ଓ ପ୍ରତିଶ୍ରୁତିବଦ୍ଧ ବୋଲି ଚୀନ ପ୍ରତିରକ୍ଷାମନ୍ତ୍ରୀ ଧମକ ଦେଇଛନ୍ତି।

ଏହାପରେ ଭାରତୀୟ ସେନା ବୟାନ ଦେଇଛି ଯେ, ‘ଭାରତୀୟ ସେନା ବୀରଙ୍କ ସେନା ଯିଏକି ସର୍ବଦା କଠିନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ। ଆମ ପାଇଁ ରାଷ୍ଟ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ସେନା ସବୁ ପରିସ୍ଥିତି ଲାଗି ସକ୍ଷମ, ସମର୍ଥ ଓ ପ୍ରଭାବଶାଳୀ।’
ସୂଚନାଯୋଗ୍ୟ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ବେଇ ଫେଙ୍ଗହୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲଦାଖ ସୀମାରେ ଚିନ୍ତାଜନକ ସ୍ଥିତିକୁ କମ୍ କରିବା ଉପରେ ଧ୍ୟାନକେନ୍ଦ୍ରିତ କରାଯାଇଥିଲା। ଆଲୋଚନା ମଧ୍ୟରେ ରାଜନାଥ ପୂର୍ବ ଲଦାଖରେ ସ୍ଥିତି ସାମାନ୍ୟ କରିବା ସହ ଯଥାଶୀଘ୍ର ସୈନିକ ହଟାଇବା ଉପରେ ଜୋର ଦେଇଥିଲେ।