ଆଇସିଏମଆର ଓ ଆରଏମଆରସି ପକ୍ଷରୁ ମାଲକାନଗିରି ପୌର ପରିଷଦରେ ଆରମ୍ଭ ହେଲା ସିରୋଲଜିକାଲ ସର୍ଭିଲାନ୍ସ

ମାଲକାନଗିରି,ଏନ୍ଏନ୍ଏସ୍: ଆଇସିଏମ୍ଆର ଓ ଆରଏମଆରସି ଭୁବନେଶ୍ୱର ପକ୍ଷରୁ ଆଜିଠାରୁ ମାଲକାନଗିରି ପୌର ପରଷଦରେ ସିରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି। ବରିଷ୍ଠ ବୈଜ୍ଞାନିକଙ୍କ ନେତୃତ୍ୱରେ ଏହି ଦଳରେ ବୈଷୟିକ ବିଶେଷଜ୍ଞ, ଗବେଷକ ସହାୟକଙ୍କ ସମେତ ୧୬ଜଣ ଥିବାବେଳେ ଏମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପରିଷଦର କର୍ମଚାରୀମାନେ ସହଯୋଗ କରୁଛନ୍ତି। ଆଜି ଓ ଆସନ୍ତାକାଲି ପୌର ପରିଷଦର ୧୯ଟି ୱାର୍ଡରେ ରେଣ୍ଡମ ସର୍ଭେ କରିବାକୁ ଥିବାବେଳେ ସକାଳେ ୧୧୯ କଲୋନୀ, ଆଶୀର୍ବାଦ କଲୋନୀ, ବିବିଗୁଡ଼ା ସାହି, ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଜେଲସାହିର ବିଭିନ୍ନ ଘରକୁ ଯାଇ ରକ୍ତ ନମୁନା ସଂଗ୍ରହ କରାଯାଇଛି। ଆସନ୍ତାକାଲି ଅନ୍ୟାନ୍ୟ ସାହିକୁ ଯାଇ ନମୁନା ସଂଗ୍ରହ କରି ସର୍ଭେ କରାଯିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆସନ୍ତା ୮ ତାରିଖରେ ଅତ୍ୟଧିକ ବିପଦପୂର୍ଣ୍ଣ ଦଳ ଯଥା ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କୁ ନେଇ ଏହି ସର୍ଭେ କରାଯିବ। ମୋଟ ୧୫ ଶହ ଜଣଙ୍କୁ ନେଇ ସର୍ଭେ କରାଯିବାକୁ ସ୍ଥିର କରାଯାଇଛି ବୋଲି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି। କୋଭିଡ ସ୍ଥିତି ଜାଣିବା ପାଇଁ ଏହି ସର୍ଭେ ଦଳକୁ ସହଯୋଗ କରିବାକୁ ମାଲକାନଗିରିର ସମସ୍ତ ଜନସାଧାରଣଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅନୁରୋଧ କରିଛନ୍ତି। ଏହାଦ୍ୱାରା କେଉଁ କେଉଁ ବ୍ୟକ୍ତିଙ୍କ ନିକଟରେ କୋଭିଡ-୧୯ ଆଣ୍ଟିବଡି ରହିଛି ଓ ସେମାନେ ରୋଗରୁ ଲଢ଼ିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ବିକଶିତ କରିପାରିଛନ୍ତି କି ନାହିଁ ତାହା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି।