ରିୟାଙ୍କ ଜେଲ ଅବଧି ଆଉ ୧୪ ଦିନ ବଢ଼ିଲା

ନୂଆଦିଲ୍ଲୀ: ଡ୍ରଗ୍ସ ସିଣ୍ଡିକେଟ ଚଳାଇବା ଆରୋପରେ ଗିରଫ ହୋଇଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜେଲ ଅବଧି ଆଉ ୧୪ ଦିନ ବଢ଼ାଯାଇଛି। ରିୟାଙ୍କ ବ୍ୟତୀତ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ଓ ଆଉ ୬ ଅଭିଯୁକ୍ତଙ୍କ ଜେଲ ଅବଧି ମଧ୍ୟ ବଢ଼ିଛି। ଆଜି ସମସ୍ତ ଅଭିଯୁକ୍ତଙ୍କ ବିଚାରବିଭାଗୀୟ ହାଜତ ଶେଷ ହେଉଥିବାରୁ ସେମାନଙ୍କୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ମୁମ୍ବାଇର ଏନଡୀପୀଏସ୍ କୋର୍ଟରେ ହାଜର କରାଯାଇଥିଲା। ଯେଉଁଠି କୋର୍ଟ ସମସ୍ତଙ୍କ ବିଚାରବିଭାଗୀୟ ହାଜତ ଅବଧି ଅକ୍ଟୋବର ୨୦କୁ ବଢ଼ାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ଏହାପୂର୍ବରୁ ମଧ୍ୟ ରିୟା ଓ ସୋଭିକଙ୍କ ବିଚାରବିଭାଗୀୟ ହାଜତ ଅବଧି ୧୪ ଦିନ ପାଇଁ ବଢ଼ାଯାଇଥିଲା। ଇତିମଧ୍ୟରେ ରିୟା ଓ ତାଙ୍କ ଭାଇ ସୋଭିକ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ଆଉ ଏହାର ଶୁଣାଣୀକୁ ଅଦାଲତ ପକ୍ଷରୁ ସୁରକ୍ଷିତ ରଖାଯାଇଥିଲା।