କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୩୯ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୬,୩୯୮ରେ ପହଞ୍ଚିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେଖିବାକୁ ଗଲେ ଜିଲ୍ଲାରେ ଦିନକୁଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଟିଏମସି କେନ୍ଦ୍ରରୁ ୬ଜଣ, ହୋମ୍ କ୍ୱାରେଣ୍ଟାଇନରୁ ୭ଜଣ ଓ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୨୬ଜଣ ରହିଥିବା ଜଣାପଡ଼ିଛି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ବୋରିଗୁମ୍ମା ଓ ଲକ୍ଷ୍ମୀପୁର ବ୍ଲକରୁ ୫ଜଣ ଲେଖାଏଁ, କୋରାପୁଟ, ବୈପାରିଗୁଡ଼ା, ସୁନାବେଡ଼ା ଓ ଜୟପୁର ପୌରାଞ୍ଚଳରୁ ୪ଜଣ ଲେଖାଏଁ, କୋଟପାଡ଼ ଏନଏସରୁ ୨ଜଣ ରହିଛନ୍ତି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଜିଲ୍ଲାରେ ଦୈନିକ ପଜିଟିଭ୍ ସଂଖ୍ୟା ପ୍ରାୟ ୫୦ରୁ ଉର୍ଦ୍ଧ ଥିବାବେଳେ ଅକ୍ଟୋବର ପ୍ରଥମ ସପ୍ତାହରେ ତାହା ୫୦ ତଳକୁ ଖସିଛି। ସେପ୍ଟେମ୍ବର ମାସର ପ୍ରଥମ ୬ ଦିନରେ ମୋଟ ୫୭୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଚଳିତ ମାସ ସେହି ସମୟ ମଧ୍ୟରେ ମାତ୍ର ୨୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଜିଲ୍ଲାରେ ଗତକାଲି ସୁଦ୍ଧା ସଂକ୍ରମିତ ଥିବା ୬,୩୫୯ ଜଣଙ୍କ ମଧ୍ୟରୁ ୫,୮୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।