କଟକ,ଏନ୍ଏନ୍ଏସ୍: କେରଳର ତ୍ରିଭାନ୍ଦ୍ରମ୍ଠାରେ ଚାଲିଥିବା ସିନିଅର୍ ମହିଳା ଟି-୨୦ ଲିଗ୍ରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମ ଦିନରେ ତଳ ଛତିଶଗଡ଼କୁ ୭୧ ରନ୍ରେ ପରାସ୍ତ କରିଥିବା ବେଳେ ମଙ୍ଗଳବାର ବିହାରକୁ ୭ ୱିକେଟ୍ରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ବିହାର ୨୦ ଓଭର୍ରେ ୮ ୱିକେଟ୍ ହରାଇ ମାତ୍ର ୬୬ ରନ୍ କରିଥିଲା । ଓଡ଼ିଶାର ଦୁଇ ପ୍ରମୁଖ ପେସର୍ ସୁଜାତା ମଲ୍ଲିକ ଓ ରାମେଶ୍ୱରୀ ନାଏକ ଘାତକ ବୋଲିଂ କରି ୭ଟି ୱିକେଟ୍ ଦଖଲ କରିବା ଫଳରେ ବିହାର ଆଶାଜନକ ସ୍କୋର୍ କରିପାରି ନ ଥିଲା । ଜବାବରେ ଓଡ଼ିଶା ମାତ୍ର ୩ଟି ୱିକେଟ୍ ହରାଇ ୧୨.୩ ଓଭର୍ରେ ୬୮ ରନ୍ କରି ସହଜ ବିଜୟ ହାସଲ କରିଛି ।
ଦଳୀୟ ସ୍କୋର୍ ୧ ଥିବା ବେଳେ ବିହାର ଦୁଇ ଓପନରଙ୍କ ୱିକେଟ୍ ହରାଇଥିଲା । ଉଭୟଙ୍କୁ ସୁଜାତା ଆଉଟ୍ କରିଥିଲେ । ଶେଷ ପର୍ଯ୍ୟନ୍ତ ୱିକେଟ୍ ପତନ ଧାରା ଜାରି ରହିବା ଫଳରେ ବିହାର ବଡ଼ ସ୍କୋର୍ କରିପାରି ନ ଥିଲା । ଅଧିକନ୍ତୁ ଦଳର ମାତ୍ର ୨ ଜଣ ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚିପାରିଥିଲେ । ଅପୂର୍ବ ୩ଟି ଚୌକା ସହ ସର୍ବାଧିକ ଅପରାଜିତ ୧୮ ରନ୍ କରିଥିବା ବେଳେ ୨ଟି ଚୌକା ସହ କୋମଲ ପି. କୁମାରୀ ୧୧ ରନ୍ କରିଥିଲେ । ଅଷ୍ଟମ ୱିକେଟ୍ରେ ରଚନା କୁମାରୀ ଓ ଅପୂର୍ବାଙ୍କ ମଧ୍ୟରେ ହୋଇଥିବା ୧୯ ରନ୍ର ଭାଗୀଦାରୀ ସର୍ବାଧିକ ଥିଲା । ଓଡ଼ିଶା ପକ୍ଷରୁ ସୁଜାତା ୪ ଓଭର୍ରେ ମାତ୍ର ୧୭ ରନ୍ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ରାମେଶ୍ୱରୀ ୪ ଓଭର୍ରେ ୧୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଅନ୍ୟତମ ୱିକେଟ୍ଟି ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମିଳିଥିଲା ।
ବ୍ୟାଟିଂରେ ପ୍ରଥମ ମ୍ୟାଚ୍ର ଅର୍ଦ୍ଧଶତକ ହାସଲ କରିଥିବା କାଜଲ ଜେନା ଖାତା ବି ଖୋଲିପାରି ନ ଥିଲେ । କିନ୍ତୁ ତାଙ୍କ ଓପନିଂ ଯୋଡ଼ିଦାର ମାଧୁରୀ ମେହେଟା ଗୋଟିଏ ଚୌକା ସହ ୧୦ ରନ୍ କରିଥିଲେ । ସେହିପରି ସୁଶ୍ରୀ ୨ଟି ଚୌକା ସହ ୧୪ ରନ୍ କରିଥିବା ବେଳେ ସରିତା ମେହେର ସର୍ବାଧିକ ୩୮ ରନ୍ କରିଥିଲେ । ସରିତା ୫ଟି ଚୌକା ଲଗାଇଥିଲେ ଏବଂ ତୃତୀୟ ୱିକେଟ୍ରେ ସୁଶ୍ରୀଙ୍କ ସହ ୪୬ଟି ବଲ୍ରେ ୪୫ ରନ୍ ଯୋଡ଼ି ଦଳକୁ ବିଜୟ ନିକଟତର କରାଇଥିଲେ । ସରିତାଙ୍କ ସହ ପ୍ରଜ୍ଞା ପି. ମହାନ୍ତି ୪ ରନ୍ କରି ଅପରାଜିତ ଥିବା ବେଳେ ବିହାର ପକ୍ଷରୁ ଅପୂର୍ବା, ରଚନା ସିଂହ ଓ ଅପୂର୍ବା କୁମାରୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ପ୍ରତିଯୋଗିତାରେ ଓଡ଼ିଶା ତା’ର ତୃତୀୟ ମ୍ୟାଚ୍ ଆସନ୍ତା ଗୁରୁବାର ତ୍ରିପୁରା ବିପକ୍ଷରେ ଖେଳିବ ।