ଟିମ୍ ଇଣ୍ଡିଆରେ ଫିନିଶର୍ ହୋଇପାରିବେ କାର୍ତ୍ତିକ: ଗାଭାସ୍କର

ମୁମ୍ବାଇ,ଏଜେନ୍ସି: ସମ୍ପ୍ରତି ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍‌ସିବି) ପାଇଁ ଖେଳୁଥିବା ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ଟିମ୍ ଇଣ୍ଡିଆରେ ଫିନିଶର୍ ଭୂମିକା ତୁଲାଇପାରିବେ ବୋଲି ମତ ଦେଇଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର । ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ଏଥିରେ କାର୍ତ୍ତିକ ଏହି ଭୂମିକା ତୁଲାଇପାରିବେ ବୋଲି ଗାଭାସ୍କର କହିଛନ୍ତି । ଚଳିତ ସଂସ୍କରଣରେ କୋଲ୍‌କାତା ନାଇଟ୍ ରାଇଡର୍ସର ଏହି ପୂର୍ବତନ ଅଧିନାୟକ ନୂଆ ଫ୍ରାଞ୍ଚାଇଜି ପାଇଁ ୩୨, ୧୪, ୪୪, ୭, ୩୪ ଓ ୬୬ ରନ୍‌ର ଇନିଂସ ଖେଳିସାରିଛନ୍ତି । ଏଥିରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୦୯.୫୭ ରହିଥିବା ବେଳେ ୬ଟି ଇନିଂସରୁ ୫ଟିରେ ଅପରାଜିତ ଅଛନ୍ତି ।

ଫଳସ୍ୱରୂପ ତାଙ୍କର ଆଭରେଜ୍ ୧୯୭.୦୦ ରହିଛି । ତାଙ୍କୁ ଆଗାମୀ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସାମିଲ୍ କରିବା ପ୍ରସଙ୍ଗରେ ଗାଭାସ୍କର କହିଛନ୍ତି ଯେ ନିଜେ କାର୍ତ୍ତିକ ଟି-୨୦ ବିଶ୍ୱକପ୍‌ରେ ଖେଳିବା ସକାଶେ ଆଗ୍ରହୀ ଥିବା କହିଛନ୍ତି । ତେଣୁ ତାଙ୍କର ବୟସକୁ ନ ଦେଖି ଚୟନକର୍ତ୍ତା ତାଙ୍କ ଫର୍ମକୁ ଦୃଷ୍ଟିରେ ରଖି ଟି-୨୦ ବିଶ୍ୱକପ୍‌ରେ ସାମିଲ୍ କରିବା ବୁଦ୍ଧିମତ୍ତାର କାର୍ଯ୍ୟ ହେବ ବୋଲି ଏହି ଜଣାଶୁଣା ଭାଷ୍ୟକାର ଜଣକ ମତ ଦେଇଛନ୍ତି । କାର୍ତ୍ତିକଙ୍କ ଦିଲ୍ଲୀ ବିପକ୍ଷ ୬୬ ରନ୍‌ର ଅପରାଜିତ ଇନିଂସ ପରିପ୍ରେକ୍ଷୀରେ ଗାଭାସ୍କର କହିଛନ୍ତି ଯେ ତାଙ୍କ ପାଖରେ ଖେଳର ମୋଡ଼ ବଦଳାଇଦେବାର ଦକ୍ଷତା ରହିଛି । ସେ ବର୍ତ୍ତମାନ ଉତ୍ତମ ଫିନିଶର୍ ଭୂମିକା ତାଙ୍କ ଆଇପିଏଲ୍ ଟିମ୍ ପାଇଁ ତୁଲାଉଛନ୍ତି ।

ବିସିସିଆଇ ଚୟନ କମିଟି ଚାହିଁଲେ, ସେ ଟି-୨୦ ବିଶ୍ୱକପ୍‌ରେ ଟିମ୍ ଇଣ୍ଡିଆ ପାଇଁ ଏହି ଭୂମିକା ତୁଲାଇପାରିବେ ବୋଲି ଗାଭାସ୍କର କହିଛନ୍ତି । ସୂଚନାଯୋଗ୍ୟ ଯେ ୩୬ ବର୍ଷୀୟ କାର୍ତ୍ତିକ ଅଦ୍ୟାବଧି ୨୬ଟି ଟେଷ୍ଟ୍ ସହ ୯୪ଟି ଦିନିକିଆ ଓ ୩୨ଟି ଟି-୨୦ ଖେଳିସାରିଛନ୍ତି । ସେ ଗତ ୨୦୧୯ ଆଇସିସି ବିଶ୍ୱକପ୍‌ରେ ନ୍ୟୁଜିଲାଣ୍ଡ୍ ବିପକ୍ଷ ସେମିଫାଇନାଲ୍‌ରେ ଭାରତ ପକ୍ଷରୁ ଶେଷ ଥର ପାଇଁ ପ୍ରତିନିଧିତ୍ୱ କରିଥିଲେ ।