ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ହିରୋ ଇଣ୍ଡିଆନ୍ ୱିମେନ୍ସ ଲିଗ୍ର ତୃତୀୟ ଦିନରେ ମଙ୍ଗଳବାର ସ୍ପୋର୍ଟ୍ସ ଓଡ଼ିଶା ତା’ର ଦ୍ୱିତୀୟ ମ୍ୟାଚ୍କୁ ଡ୍ର’ ରଖିଛି । ଦଳ ପ୍ରଥମ ମ୍ୟାଚ୍ରେ ଏଆର୍ଏ ଏଫ୍ସିକୁ ପରାସ୍ତ କରିବା ପରେ ମଙ୍ଗଳବାର ଇଣ୍ଡିଆନ୍ ଆରୋଜ୍କୁ ଭେଟିଥିଲା । ଏହି ମ୍ୟାଚ୍ର ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା କେହି ଗୋଲ୍ ଦେଇ ନ ପାରିବାରୁ ଏହା ବିନା ଫଳାଫଳରେ ଶେଷ ହୋଇଛି । ସପ୍ତମ ବାଟାଲିଅନ୍ ପଡ଼ିଆରେ ଖେଳାଯାଇଥିବା ଏହି ମ୍ୟାଚ୍ର ପ୍ରଥମାର୍ଦ୍ଧରେ ଉଭୟ ଦଳ ଏକାଧିକ ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ ହେଁ କୌଣସି ଗୋଟିଏକୁ ବି ଗୋଲ୍ରେ ପରିଣତ କରିପାରି ନ ଥିଲେ ।
ଦ୍ୱିତୀୟାର୍ଦ୍ଧ ଖେଳରେ ଓଡ଼ିଶାର ମନୀଷା ପାନ୍ନା ଏକ ସୁନ୍ଦର ଗୋଲ୍ ସୁଯୋଗ ସୃଷ୍ଟି କରିଥିଲେ । କିନ୍ତୁ ଆରୋଜ୍ର ଡିଫେନ୍ସ ବିଭାଗର ଖେଳାଳିମାନେ ଏହାକୁ ଅକାମୀ କରିଦେଇଥିଲେ । ଶେଷରେ କେହି ଗୋଲ୍ କରିପାରି ନ ଥିବା ବେଳେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ପୋର୍ଟ୍ସ ଓଡ଼ିଶା ଗୋଲ୍କିପର୍ ସସ୍ମିତା ପରିଡ଼ାଙ୍କୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ମ୍ୟାଚ୍ରେ ପିଆଇଏଫ୍ଏ ସ୍ପୋର୍ଟ୍ସ ଏଫ୍ସି ୬-୦ ଗୋଲ୍ରେ ବିଜୟୀ ହୋଇଛି । ପ୍ରଥମ ମ୍ୟାଚ୍ରେ ଦଳ ୧-୩ରେ ପରାସ୍ତ ହୋଇଥିଲେ ହେଁ ମଙ୍ଗଳବାର ୬-୦ ଗୋଲ୍ରେ ହାନ୍ସ ୱିମେନ୍କୁ ପରାସ୍ତ କରିଛି । ମୁମ୍ବାଇ ଭିତ୍ତିକ ଦଳ ୨୧ତମ ମିନିଟ୍ରେ ନିସିଲିଆ ମାଜାଙ୍କ ମାଧ୍ୟମରେ ପ୍ରଥମ ଗୋଲ୍ ଦେଇଥିଲା । ଏହି ଗୋଲ୍ କରିବାରେ ଲାୱାନ୍ଲାଙ୍ଗ୍ ନୋଙ୍ଗବେଟ୍ ସହଯୋଗ କରିଥିଲେ ।
ପରବର୍ତ୍ତୀ ମିନିଟ୍ରେ ଅର୍ଥାତ୍ ୨୨ତମ ମିନିଟ୍ରେ ପିଆଇଏଫ୍ଏର ଅଗ୍ରଣୀକୁ ଲାଲ୍ନୁନ୍ସିଆମି ହାନ୍ସ ୱିମେନ୍ର ଦୁର୍ବଳ ରକ୍ଷଣ ବିଭାଗର ଫାଇଦା ନେଇଥିଲେ । ୪୦ତମ ମିନିଟ୍ରେ ଦିଲ୍ଲୀଭିତ୍ତିକ ହାନ୍ସ ୱିମେନ୍ ଟିମ୍ର ରକ୍ଷଣ ବିଭାଗର ଦୁର୍ବଳତା ପୁଣିଥରେ ପଦାରେ ପଡ଼ିଥିଲା, ଯାହାର ଫାଇଦା ନେଇ ଲାଲୁନ୍ସିଆମି ତାଙ୍କର ଦ୍ୱିତୀୟ ଗୋଲ୍ ଦେଇ ପିଆଇଏଫ୍କୁ ୩-୧ରେ ଆଗୁଆ କରାଇଥିଲେ । ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍ର ୫୦ତମ ମିନିଟ୍ରେ ଅଧିନାୟିକା କାରେନ୍ ପାଏସ୍ ସହଯୋଗୀ ଆଫରିନ୍ ପିରଭୋୟଙ୍କ ଫ୍ରିକିକ୍ ପାସ୍କୁ ଗୋଲ୍ରେ ପରିଣତ କରିଥିଲେ । ଏହାପରେ ୬୪ତମ ମିନିଟ୍ରେ ପିଆଇଏଫ୍ଏ ପକ୍ଷରୁ ପଞ୍ଚମ ଗୋଲ୍ ଦେଇଥିଲେ ବଦଳ ଖେଳାଳି ଆକାଂକ୍ଷା କାଣ୍ଡାଲକର ।
୬୭ତମ ମିନିଟ୍ରେ ନିସିଲିଆ ତାଙ୍କର ଦ୍ୱିତୀୟ ଗୋଲ୍ ଦେଇ ଦଳକୁ ୬-୦ରେ ଅଗ୍ରଣୀ କରାଇଥିଲେ । ମ୍ୟାଚ୍ର ୮୫ତମ ମିନିଟ୍ରେ ଲାଲ୍ନୁନ୍ସିଆମି କାନ୍ଧରେ ଆଘାତ ପାଇଥିଲେ, ଯାହାକି ବିଜୟୀ ଦଳ ପାଇଁ ଏକ ଝଟ୍କା ହୋଇଛି । ଡବଲ୍ ଗୋଲ୍ କରିଥିବା ନିସିଲିଆ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଆହୁରି କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚ୍ରେ ଗୋକୁଲମ୍ କେରଳ ଏଫ୍ସି କ୍ରମାଗତ ଦ୍ୱିତୀୟ ବିଜୟ ପାଇଛି । ଦଳ ଏସ୍ଏସ୍ବି ୱିମେନ୍ ଫୁଟବଲ୍ କ୍ଲବ୍କୁ ୨-୦ ଗୋଲ୍ରେ ପରାସ୍ତ କରିଛି । ମ୍ୟାଚ୍ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ନ ହେବା ପରେ ଦ୍ୱିତୀୟାର୍ଦ୍ଧରେ ୫୭ତମ ମିନିଟ୍ରେ ଏଲ୍ଶାଦାଇ ଆଚିମ୍ପୋଙ୍ଗ୍ ପ୍ରଥମ ଓ ଇନ୍ଜୁରୀ ଟାଇମ୍ରେ ଅର୍ଥାତ୍ ୯୦+୨ତମ ମିନିଟ୍ରେ ଏନ. ରତନବାଳା ଦେବୀ ଦ୍ୱିତୀୟ ଗୋଲ୍ ସ୍କୋର୍ କରିଥିଲେ । ଏସ୍ଏସ୍ବି ଦଳର ଗୋଲ୍କିପର୍ ମଞ୍ଜୁ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ପ୍ରତିଯୋଗିତାରେ ବୁଧବାର କ୍ୟାପିଟାଲ୍ ହାଇସ୍କୁଲ୍ ଗ୍ରାଉଣ୍ଡ୍ରେ ସିର୍ବୋଡେମ୍ ଏସ୍ସିକୁ କିକ୍ଷ୍ଟାର୍ଟ ଏଫ୍ସି ଭେଟିବାକୁ ଥିବା ବେଳେ ସପ୍ତମ ବାଟାଲିଅନ୍ଠାରେ ମାତା ରୁକ୍ମଣୀ ଏଫ୍ସିକୁ ଓଡ଼ିଶା ପୁଲିସ୍ ଭେଟିବ । ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ରେ ସେତୁ ମଦୁରାଇ ସହ ଏଆର୍ଏ ଏଫ୍ସିର ମୁକାବିଲା ହେବ ।