ଦ୍ୱିତୀୟ ଟେଷ୍ଟ୍‌: ୩ ଅର୍ଦ୍ଧଶତକରେ ସାଉଥ୍ ଆଫ୍ରିକା ୨୭୮/୫

ପୋର୍ଟ ଏଲିଜାବେଥ୍‌,ଏଜେନ୍ସି: ଚଳିତ ବାଂଲାଦେଶ ବିପକ୍ଷ ଟେଷ୍ଟ୍ ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍‌ର ପ୍ରଥମ ଦିନରେ ଶନିବାର ଘରୋଇ ସାଉଥ୍ ଆଫ୍ରିକା ୯୦ ଓଭର୍‌ରେ ୫ ୱିକେଟ୍ ହରାଇ ୨୭୮ ରନ୍ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଡିନ୍ ଏଲଗାରଙ୍କ ନେତୃତ୍ୱାଧୀନ ଦଳ ୩ଟି ଅର୍ଦ୍ଧଶତକ ମାଧ୍ୟମରେ ଏହି ସ୍କୋର୍ କରିପାରିଛି। ଅଧିନାୟକ ତଥା ଓପନର ଏଲଗାର ନିଜେ ମଧ୍ୟ ଏଥିରୁ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି। ଏହାଛଡ଼ା କିଗାନ୍ ପିଟର୍‌ସନ୍ ୬୪ ଓ ଟେମ୍ବା ବାଭୁମା ୬୭ ରନ୍ କରିଛନ୍ତି। ପ୍ରଥମ ଦିନର ଖେଳ ଶେଷ ବେଳକୁ କାଇଲ୍ ଭେରିନି ଓ ୱିଆନ୍ ମୁଲ୍‌ଡର୍ ଯଥାକ୍ରମେ ୧୦ ଓ ଶୂନରେ ଅପରାଜିତ ଅଛନ୍ତି।

ଦୁଇ ଓପନର ଏଲଗାର ଓ ସାରେଲ୍ ଏରୱି ୫୨ ରନ୍ ଯୋଡ଼ି ସାଉଥ୍ ଆଫ୍ରିକାର ଭିତ୍ତିଭୂମିକୁ ସୁଦୃଢ଼ କରିଥିଲେ। ତେବେ କ୍ୟାରିୟର୍‌ର ଚତୁର୍ଥ ଟେଷ୍ଟ୍ ଖେଳୁଥିବା ଏରୱି ୪ଟି ଚୌକା ସହ ୨୪ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। କିନ୍ତୁ ଏଲଗାର ସାଥୀ ବ୍ୟାଟ୍ସମ୍ୟାନ୍ ପିଟର୍‌ସନ୍‌ଙ୍କ ସହ ୮୧ ରନ୍‌ର ମଜଭୁତ ଭାଗୀଦାରୀ କରିଥିଲେ। ଇତିମଧ୍ୟରେ ଏଲଗାର ତାଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ। ୧୦ଟି ଚୌକା ସହ ୭୦ ରନ୍ କରି ଏଲଗାର ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା।

ଯୋଡ଼ିଦାରକୁ ହରାଇଥିଲେ ମଧ୍ୟ ପିଟର୍‌ସନ୍ ଅର୍ଦ୍ଧଶତକ ପୂରଣ କରିବା ସହ ତୃତୀୟ ୱିକେଟ୍‌ରେ ଚଳିତ ସିିରିଜ୍‌ରେ ଡେବ୍ୟୁ କରିଥିବା ର‌୍ୟାନ୍ ରିକେଲଟନ୍‌ଙ୍କୁ ସାଥୀ କରି ୫୧ ରନ୍ ଯୋଡ଼ିଥିଲେ। ତେବେ ୯ଟି ଚୌକା ସହ ୬୪ ରନ୍ କରି ପିଟରସନ୍ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ବିଦାୟ ପରେ ପରେ ବାଭୁମା ମଧ୍ୟ ୭ଟି ଚୌକା ସହ ୬୭ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ତାଇଜୁଲ୍ ଇସଲାମ୍ ୩ଟି ଓ ଖାଲେଦ୍ ଅହମ୍ମଦ ୨ଟି ୱିକେଟ୍ ନେଇଛନ୍ତି।